ଇସଲାମାବାଦ୍,୨୫।୫: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ବୁଧବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦିଲ୍ଲୀର ଏକ କୋର୍ଟ ମଧ୍ୟ ତାଙ୍କ ଉପରେ ୧୦ ଲକ୍ଷ ଜୋରିମନା ଲଗାଇଛି। ୟାସିନ ମଲିକଙ୍କ ଦଣ୍ଡାଦେଶ ଯୋଗୁ ପଡୋଶୀ ଦେଶ ପାକିସ୍ତାନରେ ଉତ୍ତେଜନା ଦେଖାଦେଇଛି। ସେଠାରେ ପ୍ରଧାନମନ୍ତ୍ରୀ ଶେହଓ୍ବାଜ ଶରିଫ ଏହି ନିଷ୍ପତ୍ତି ପାଇଁ ଭାରତକୁ ସମାଲୋଚନା କରିଛନ୍ତି।
ସେ ତାଙ୍କ ଟୁଇଟ୍ରେ କହିଛନ୍ତି, ଭାରତୀୟ ଗଣତନ୍ତ୍ର ଏବଂ ଏହାର ନ୍ୟାୟ ବ୍ୟବସ୍ଥା ପାଇଁ ଆଜି ଏକ କଳା ଦିନ। ଭାରତ ୟାସିନ ମଲିକଙ୍କୁ ଶାରୀରିକ ଭାବରେ କାରାଗାରରେ ରଖିପାରେ କିନ୍ତୁ ତାଙ୍କ ସ୍ବାଧୀନ ବିଚାରଧାରକୁ କାରାଗାରରେ ରଖିପାରିବ ନାହିଁ। ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଆଜୀବନ କାରାଦଣ୍ଡ କାଶ୍ମୀରବାସୀଙ୍କ ଆତ୍ମନିର୍ଣ୍ଣୟର ଅଧିକାରକୁ ନୂତନ ପ୍ରେରଣା ଯୋଗାଇବ।
ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ମଧ୍ୟ ଟୁଇଟ୍ କରି କହିଛନ୍ତି, ଏକ ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କ ଏକ ଅନ୍ୟାୟ ଦଣ୍ଡକୁ କଠୋର ନିନ୍ଦା କରୁଛି। କଶ୍ମୀରବାସୀଙ୍କ ସ୍ବାଧୀନତା ଏବଂ ଆତ୍ମନିର୍ଭରଶୀଳତାର ସ୍ବରକୁ ଭାରତ କଦାପି ଚୁପ କରିପାରିବ ନାହିଁ। କଶ୍ମୀର ଭାଇ ଓ ଭଉଣୀମାନଙ୍କ ସହ ପାକିସ୍ତାନ ଛିଡା ହୋଇଛି, ସେମାନଙ୍କର ନ୍ୟାୟ ସଂଗ୍ରାମରେ ସମସ୍ତ ସମ୍ଭାବ୍ୟ ସମର୍ଥନ ଜାରି ରଖିବ।
ସୂଚନାଯୋଗ୍ୟ,ୟାସିନ ମଲିକ ନିକଟରେ ୨୦୧୭ରେ କଶ୍ମୀର ଘାଟିରେ ଅଶାନ୍ତ ସୃଷ୍ଟି କରିବା ଏବଂ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ।