ଇସଲାମାବାଦ,୧୭।୮: ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନଓ୍ବାର-ଉଲ୍-ହକ୍ କାକର କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ତଥା ଆତଙ୍କବାଦ ପାଣ୍ଠି ସଂଗ୍ରହ ମାମଲାରେ ଜେଲରେ ଥିବା ୟାସିନ ମଲିକଙ୍କ ପତ୍ନୀ ମୁଶାଲ ମଲିକଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ପ୍ରଦାନ କରିଛନ୍ତି। ମାନବାଧିକାର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ତାଙ୍କୁ ୧୮ ଜଣିଆ କ୍ୟାବିନେଟରେ ସାମିଲ କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି।
ମୁଶାଲଙ୍କ ମା ରେହାନା ହୁସେନ ମଲିକ ପିଏମଏଲ-ଏନ୍ ମହିଳା ଓ୍ବିଙ୍ଗର ସାଧାରଣ ସମ୍ପାଦକ ଥିବା ବେଳେ ବାପା ଏମ୍ ହୁସେନ ମଲିକ ଜଣେ ଅନ୍ତର୍ଜାତୀୟ ଅର୍ଥନୀତିଜ୍ଞ, ଯିଏକି ନୋବେଲ ପୁରସ୍କାର ଜୁରୀ ମଧ୍ୟରେ ପ୍ରଥମ ପାକିସ୍ତାନୀ ସଦସ୍ୟ ଥିଲେ। ତେବେ ମୁଶାଲା ୨୦୦୯ ଫେବୃୟାରୀ ୨୨ରେ ୟାସିନଙ୍କୁ ବିବାହ କରିଥିଲେ। ୟାସିନ ଏବେ ଆଜୀବନ କାରାଦଣ୍ଡ ଭୋଗୁଥିବା ବେଳେ ମୁଶାଲ ତାଙ୍କୁ ନିର୍ଦ୍ଦୋଶ କହିବା ସହ ବଞ୍ଚାଇବା ଲାଗି ପାକିସ୍ତାନର ନେତାଙ୍କଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସଂଗଠନକୁ ଲଗାତାର ଭାବେ ଅପିଲ କରୁଛନ୍ତି। ଏବେ ଇସଲାମାବାଦରେ ନିଜର ୧୨ ବର୍ଷୀୟ ଝିଅ ରଜିଆ ସୁଲତାନାଙ୍କ ସହ ରୁହନ୍ତି।