ଧର୍ମପଦ ପୁରସ୍କାର ଗ୍ରହଣ କଲେ ଯତୀନ ଦାସ

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ଓଡ଼ିଶା ଲଳିତ କଳା ଏକାଡ଼େମୀ ତରଫରୁ ଖ୍ୟାତନାମା ଚିତ୍ରଶିଳ୍ପୀ ଯତୀନ ଦାସଙ୍କୁ ଏକଡ଼େମୀର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ପ୍ରଦାନ କରାଯାଇଛି। ୨୦୧୩ ମସିହା ଲାଗି ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଗତ ଅଗଷ୍ଟ ୧୦ରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ଧର୍ମପଦ ପୁରସ୍କାର ପ୍ରଦାନ କରିଥିଲେ। କୋଭିଡ୍‌ ସଂକ୍ରମଣ ଯୋଗୁ ଏଥର କୌଣସି ଉତ୍ସବର ଆୟୋଜନ କରା ନ ଯାଇ ଶିଳ୍ପୀଙ୍କୁ ସେମାନଙ୍କ ବାସଭବନରେ ପୁରସ୍କାର ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ଯତୀନ ଦାସ ନୂଆଦିଲ୍ଲୀରେ ଥିବାରୁ ସେ ପୁରସ୍କାର ଗ୍ରହଣ କରିପାରି ନ ଥିଲେ। ବୁଧବାର ଏକାଡ଼େମୀ ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ ଦିଲ୍ଲୀ ଗସ୍ତ କରି ତାଙ୍କୁ ପୁରସ୍କୁତ କରିଛନ୍ତି। ଜାତୀୟ କଳା ସଂଗ୍ରହାଳୟର ମହାନିର୍ଦ୍ଦେଶକ ଅଦ୍ୱୈତ ପ୍ରସାଦ ଗଡ଼ନାୟକ, ସ୍ଥାପତ୍ୟ ଶିଳ୍ପୀ ନିବେଦିତା ଗଡ଼ନାୟକ ଏହି ଅବସରରେ ଉପସ୍ଥିତ ଥିଲେ।