Categories: ଜାତୀୟ

ମହିଳାଙ୍କୁ ମାତୃତ୍ୱ ଛୁଟି ମିଳିବ ବର୍ଷେ

ଗ୍ୟାଙ୍ଗଟକ୍‌,୨୭।୭: ମାତୃତ୍ୱ ଛୁଟି ନେଇ ସିକ୍କିମ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ମାତୃତ୍ୱ ଛୁଟି ୬ ମାସରୁ ବଢାଇ ବର୍ଷେ କରିଛନ୍ତି। ଏହା ବ୍ୟତୀତ ଶିଶୁର ପିତାଙ୍କୁ ଏକ ମାସ ଛୁଟି ଦେବାର ବ୍ୟବସ୍ଥା ଅଛି। ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୁବ ଶୀଘ୍ର ଏହି ବିଷୟରେ ନିୟମ ପରିବର୍ତ୍ତନ ହେବ ଏବଂ ଏହି ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେବ। ଏଥିରେ ରାଜ୍ୟର ହଜାର ହଜାର ମହିଳା ଉପକୃତ ହେବେ।
ସିକ୍କିମ ରାଜ୍ୟ ନାଗରିକ ସେବା ଅଧିକାରୀ ସଂଘ (ଏସ୍‌ଏସ୍‌ସିଏସ୍‌ଓଏ)ର ବାର୍ଷିକ ସାଧାରଣ ସଭାକୁ ସମ୍ବୋଧିତ କରି ସିକିମ ସିଏମ ତାମାଙ୍ଗ କହିଛନ୍ତି, ଅଧିକାରୀମାନେ ହେଉଛନ୍ତି ରାଜ୍ୟ ପ୍ରଶାସନର ମେରୁଦଣ୍ଡ, ଯେଉଁମାନେ ସିକ୍କିମ ଏବଂ ଏହାର ଲୋକଙ୍କ ଅଭିବୃଦ୍ଧି ତଥା ବିକାଶରେ ବିଶେଷ ଅବଦାନ ରଖିଛନ୍ତି। ଏହା ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ ପିଲା ଏବଂ ପରିବାରର ଉତ୍ତମ ଯତ୍ନ ନେବାରେ ସାହାଯ୍ୟ କରିବ। ଖୁବ ଶୀଘ୍ର ଏହାର ବିସ୍ତୃତ ସୂଚନା ଦିଆଯିବ। କୁହାଯାଉଛି ଯେ ଆସନ୍ତା କିଛି ସପ୍ତାହ ମଧ୍ୟରେ ସିକ୍କିମ ସରକାର ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିବେ।
ମାତୃତ୍ୱ ସୁବିଧା ଅଧିନିୟମ ୧୯୬୧ ଅନୁଯାୟୀ, ଜଣେ କାର୍ଯ୍ୟରତ ମହିଳା ଛଅ ମାସ କିମ୍ବା ୨୬ ସପ୍ତାହ ବେତନ ପ୍ରାପ୍ତ ମାତୃତ୍ୱ ଛୁଟି ପାଇବାକୁ ହକଦାର। ସିକ୍କିମ ଦେଶର ସର୍ବନିମ୍ନ ଜନସଂଖ୍ୟା ଥିବା ରାଜ୍ୟ ଏବଂ ଏଠାରେ କେବଳ ୬.୩୨ ଲକ୍ଷ ଲୋକ ବାସ କରନ୍ତି।

Share