Categories: ଜାତୀୟ

ୟେଚୁରୀ କ୍ରମାଗତ ତୃତୀୟ ଥର ସାଧାରଣ ସମ୍ପାଦକ

କନ୍ନୁର,୧୧।୪: କେରଳର କନ୍ନୁରଠାରେ ରବିବାର ସିପିଆଇ(ଏମ୍‌)ର ୨୩ତମ ପାର୍ଟି କଂଗ୍ରେସର ଶେଷ ଦିନରେ ସୀତାରାମ ୟେଚୁରୀଙ୍କୁ କ୍ରମାଗତ ତୃତୀୟ ଥର ପାଇଁ ଦଳର ସାଧାରଣ ସମ୍ପାଦକ ନିର୍ବାଚିତ କରାଯାଇଛି। ପଶ୍ଚିମବଙ୍ଗର ବରିଷ୍ଠ ନେତା ରାମଚନ୍ଦ୍ର ଡୋମ୍‌ ପ୍ରଥମ ଦଳିତ ଚେହେରା ଭାବେ ପଲିଟ୍‌ବ୍ୟୁରୋକୁ ନିର୍ବାଚିତ ହୋଇଛନ୍ତି। ଦଳର କେନ୍ଦ୍ରୀୟ କମିଟି ଏବଂ ପଲିଟ୍‌ବ୍ୟୁରୋ ସଦସ୍ୟ ହେବା ପାଇଁ ସର୍ବୋଚ୍ଚ ବୟସସୀମା ୭୫ ବର୍ଷ ଧାର୍ଯ୍ୟ ହୋଇଥିବାରୁ ଏହାକୁ ଅତିକ୍ରମ କରିଥିବା ବା ନିକଟତର ହୋଇଥିବା ନେତାମାନଙ୍କୁ ଉଭୟ କମିଟିରୁ ବାଦ୍‌ ଦିଆଯାଇଛି। ଏହା ବ୍ୟତୀତ କେନ୍ଦ୍ରୀୟ କମିଟି ସଦସ୍ୟ ସଂଖ୍ୟା ୯୫ରୁ ୮୫କୁ ହ୍ରାସ ପାଇଛି। ଏଥିରେ ୧୭ ଜଣ ନୂଆ ମୁହଁ ସାମିଲ ହୋଇଛନ୍ତି। ସେହିପରି ୧୭ ସଦସ୍ୟ ବିଶିଷ୍ଟ ପଲିଟ୍‌ବ୍ୟୁରୋକୁ ଡୋମ୍‌ଙ୍କ ବ୍ୟତୀତ କେରଳ ଏଲ୍‌ଡିଏଫ୍‌ ଆବାହକ ଏ. ବିଜୟରାଘବନ, ଅଖିଳ ଭାରତ କିଷାନ ସଭା ଅଧ୍ୟକ୍ଷ ଅଶୋକ ଧଓ୍ବଲେ ନିର୍ବାଚିତ ହୋଇଥିବାବେଳେ ବୟସାଧିକ୍ୟ କାରଣରୁ ଏସ୍‌. ରାମଚନ୍ଦ୍ରନ ପିଲ୍ଲାଇ, ହନ୍ନନ ମୋଲ୍ଲା ଏବଂ ବିମାନ ବସୁ ବାଦ୍‌ ପଡ଼ିଛନ୍ତି।

Share