ଭୁବନେଶ୍ୱର,୧୬।୯(ବ୍ୟୁରୋ): ଗୋଧି ଶିକାର ଚାଲିଛି। ଫଳରେ ଆଜି ଏହି ନିରୀହ ଭାରତୀୟ ବିଷହୀନ ସରୀସୃପ ଲୁପ୍ତ ପ୍ରାୟ ହେବାକୁ ବସିଲାଣି। ନିକଟରେ ପ୍ରକାଶିତ ଇଣ୍ଟରନ୍ୟାଶନାଲ ୟୁନିଅନ ଫର୍ କଞ୍ଜରଭେଶନ ଅଫ୍ ନେଚର(ଆଇୟୁସିଏନ୍) ରେଡ୍ ଲିଷ୍ଟର ସଂକଟଗ୍ରସ୍ତ ପ୍ରଜାତି ତାଲିକାରେ ୟେଲୋ ମନିଟର ଲିଜାର୍ଡ (Varanus flavesens) ବା ସୋରିଷିଆ ଗୋଧିକୁ ଏନ୍ଡେଞ୍ଜର୍ଡ ବା ‘ବିଲୁପ୍ତ ପ୍ରାୟ’ ପ୍ରାଣୀ ତାଲିକାରେ ସ୍ଥାନ ପାଇଛି। ଏହି ଗୋଧି ପ୍ରଜାତି ମୁଖ୍ୟତଃ ପାକିସ୍ତାନ, ନେପାଳ, ଭୁଟାନ, ବାଂଲାଦେଶ ଓ ଭାରତରେ ଦେଖିବାକୁ ମିଳନ୍ତି। ବାସସ୍ଥାନ ଅଭାବ ଓ ବେପାର (ଶିକାର) ଯୋଗୁ ଏହି ଗୋଧିଙ୍କ ସଂଖ୍ୟା ପ୍ରାୟ ୫୦-୬୦ ପ୍ରତିଶତ ହ୍ରାସ ପାଇଛି। ସେଥିପାଇଁ ଏହାକୁ ବିଲୁପ୍ତ ହେବାକୁ ଥିବା ପ୍ରଜାତି ତାଲିକାଭୁକ୍ତ କରାଯାଇଛି। ଆବଶ୍ୟକ ସୁରକ୍ଷା ନ ମିଳିଲେ ସୋରିଷିଆ ଗୋଧି ଧରା ପୃଷ୍ଠରୁ ନିଶ୍ଚିହ୍ନ ହୋଇଯିବ ବୋଲି ପ୍ରାଣୀ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ସୋରିଷିଆ ଗୋଧି ନଦୀବନ୍ଧ, କେନାଲ ଏବଂ ଧାନ ବିଲ ସମେତ ଆର୍ଦ୍ର ଭୂମି ଅଞ୍ଚଳରେ ବାସ କରିଥାନ୍ତି। ଉଭୟ ମାଈ ଓ ଅଣ୍ଡିରା ଗୋଧି ଜନ୍ମର ତୃତୀୟ ଓ ଚତୁର୍ଥ ବର୍ଷ ମଧ୍ୟରେ ପ୍ରାପ୍ତ ବୟସ୍କ ହୁଅନ୍ତି। ଗୋଟିଏ ଗୋଧି ୯ରୁ ୧୦ ବର୍ଷ ଯାଏ ବଞ୍ଚତ୍ପାରନ୍ତି। ଗୋଟିଏ ମାଈ ଗୋଧି ଥରକେ ୪ ରୁ ୩୦ ଯାଏ ଅଣ୍ଡା ଦେଇଥାଏ। ୧୫୫ ରୁ ୨୫୦ ଦିନ ମଧ୍ୟରେ ଅଣ୍ଡାଗୁଡ଼ିକ ଛୁଆ ଫୁଟିଥାନ୍ତି। ଭାରତରେ ଏହି ଗୋଧିର ଚାହିଦା ଢେର ଅଧିକ। ଯଦିଓ ଏହା ଭାରତୀୟ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ ତଫସିଲ ୧ ତାଲିକା ଭୁକ୍ତ ସରୀସୃପ, କିନ୍ତୁ ଅନେକ ସମୟରେ ଗୋଧି ଶିକାର ରୋକିବା ବା ଶିକାରୀଙ୍କୁ ଧରିବା ପାଇଁ ନା ବନ ବିଭାଗ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉଛି ଅବା ଲୋକଙ୍କୁ ସଚେତନ କରାଯାଉଛି। ଧର୍ମ ଆଢ଼ୁଆଳ ଓ ଖାଦ୍ୟ ପାଇଁ ନିରୀହ ଗୋଧି କାହିଁ କେଉଁ କାଳରୁ ଶିକାର ହୋଇ ଆସୁଛନ୍ତି। ଓଡ଼ିଶାର ଢେଙ୍କାନାଳ ଜିଲାର ଜୋରନ୍ଦାଠାରେ ମାଘ ମେଳା ସମୟରେ ଶହ ଶହ ଗୋଧି ଚମଡ଼ା ଓ ଖଞ୍ଜଣି ବିକ୍ରି ହୁଏ। ଏହି ପ୍ରଜାତି ଗୋଧିଙ୍କ ଚମଡ଼ାର ରଙ୍ଗ ହଳଦିଆ ହୋଇଥିବାରୁ ଅଧିକ ମୂଲ୍ୟ ବା ଚାହିଦା ରହିଛି। ଯେଉଁଥିପାଇଁ ଆଜି ଏହି ଗୋଧି ପ୍ରଜାତି ବିପଦରେ। ଖାଲି ସେତିକି ନୁହେଁ, ଗୋଧି ଅଣ୍ଡାକୁ କିଛି ଲୋକ ଖାଇବାକୁ ମଧ୍ୟ ଭଲ ପାଆନ୍ତି। ଏ ନେଇ ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ୱବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଆଇନ ଆଖିରେ ସମସ୍ତେ ସମାନ ହେବା କଥା। ହେଲେ ବନ କର୍ମଚାରୀମାନେ ହାତୀ, ବାଘ ଆଦି ସିଡ୍ୟୁଲ-୧ ପଶୁଙ୍କ ପ୍ରତି ଯେତିକି ତତ୍ପରତା ଦେଖାନ୍ତି, ଗୋଧି ଭଳି ଛୋଟ ସିଡ୍ୟୁଲ-୧ ପଶୁଙ୍କ କ୍ଷେତ୍ରରେ ଆଦୌ ସେଭଳି ପଦକ୍ଷେପ ନିଅନ୍ତି ନାହିଁ। ଏବେ ସମୟ ଆସିଛି ବନ ବିଭାଗ ଗୋଧି, କଇଁଚ, ଶାରୀ ଭଳି ସିଡ୍ୟୁଲ-୧ ପଶୁପକ୍ଷୀଙ୍କ ପାଇଁ ନିଜର ଦୃଷ୍ଟିଭଙ୍ଗୀ ବଦଳାଇବା ଉଚିତ, ନ ହେଲେ ଗୋଧି ବଂଶ ପୃଥିବୀରୁ ସମ୍ପୂର୍ଣ୍ଣ ଲୁପ୍ତ ହେବାକୁ ଅଧିକ ସମୟ ଲାଗିବ ନାହିଁ।