ଆଜି ୮ ଜିଲାକୁ ବର୍ଷା ନେଇ ୟେଲୋ ୱାର୍ନିଂ

ଭୁବନେଶ୍ୱର,୬।୧୨(ଅନୁରାଧା ମହାରଣା):ସାମୁଦ୍ରିକ ବାତ୍ୟା ମିଗ୍‌ଜୋମ୍‌ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୩୦ରୁ ୨ଟା ୩୦ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଛି। ନେଲୋର ଏବଂ ମଛଲିପଟନମ୍‌ ମଧ୍ୟବର୍ତ୍ତୀ ବାପାଟଲା ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇଛି। ତେବେ ବାତ୍ୟା ପ୍ରଭାବରେ ଓଡ଼ିଶାର ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ସା ସୁଦ୍ଧା ଘଣ୍ଟା ପ୍ରତି ୨ରୁ ୩ ମି.ମି. ବର୍ଷା ହୋଇଥିବାବେଳେ ଗଜପତିରେ ସର୍ବାଧିକ ୪୦ ମି.ମି. ବର୍ଷା ରେକର୍ଡ ହୋଇଛି। ଗଜପତି ଜିଲାର ମୋହନାରେ ସର୍ବାଧିକ ବର୍ଷା ହୋଇଛି। ମିଳିଥିବା ସୂଚନାନୁସାରେ, ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ପରେ ବର୍ଷାର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ବଢ଼ିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲାରେ ପ୍ରବଳ ବର୍ଷା ହୋଇଥିବାବେଳେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲାରେ ମଧ୍ୟ ବର୍ଷାର ପ୍ରଭାବ ରହିଛି। ଅବଶିଷ୍ଟ ଜିଲାରେ ପାଗ ମୁଖ୍ୟତଃ ମେଘୁଆ ଥିବାବେଳେ ବିକ୍ଷିପ୍ତ ବର୍ଷା ରେକର୍ଡ ହୋଇଛି। ସତର୍କ ସୂଚନା ଥିବା ଜିଲାଗୁଡ଼ିକରେ ପବନର ବେଗ ୩୦-୪୦ କି.ମି. ରହିଛି। ସମୁଦ୍ର ମଧ୍ୟରେ ପବନର ବେଗ ୪୦-୫୫ କି.ମି. ପର୍ଯ୍ୟନ୍ତ ରହୁଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, ମଙ୍ଗଳବାର ରାତିରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ, ସକାଳ ପର୍ଯ୍ୟନ୍ତ ବର୍ଷାର ମାତ୍ରା ଅଧିକା ରହିବ। ଏହି ସାମୁଦ୍ରିକ ବାତ୍ୟା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରାୟ ଉତ୍ତର ଦିଗରେ ସମାନ୍ତରାଳ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟରେ ଗତି କରିବା ସହ ବୁଧବାର ସନ୍ଧ୍ୟା ସୁଦ୍ଧା ଦୁର୍ବଳ ହୋଇ ଅବପାତ ରୂପ ନେବା ସମ୍ଭାବନା ରହିଛି। ସେପଟେ ବର୍ଷା ସମ୍ଭାବନାକୁ ନେଇ ଅମଳ ହେବାକୁ ଥିବା ଫସଲ ସମ୍ପର୍କରେ ଚାଷୀଙ୍କୁ ସତର୍କ କରାଯାଇଛି। ଉପକୂଳ ଜିଲାରେ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ତେବେ ବୁଧବାର ପାଗ ସୁଧୁରିବା ପରେ ମାଛ ମାରିବାକୁ ଗଭୀର ସମୁଦ୍ରକୁ ଯାଇ ହେବ ବୋଲି ଦାସ ସୂଚନା ଦେଇଛନ୍ତି। ବାତ୍ୟା ପ୍ରଭାବରେ ବୁଧବାର ରାଜ୍ୟର ୮ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ୭ତାରିଖରୁ ପାଗରେ ପରିବର୍ତ୍ତନ ହେବ। ବୁଧବାର ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲାର କିଛି ଅଞ୍ଚଳକୁ ବର୍ଷା ନେଇ ଅରେଞ୍ଜ ୱାର୍ନିିଂ ଜାରି କରାଯାଇଛି। ସେହିପରି ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଉକ୍ତ ଅଞ୍ଚଳରେ ୟୋଲୋ ଓ୍ବାର୍ନିଂ ଜାରି କରାଯାଇଛି।

Share