Categories: ଜାତୀୟ

‘ଇଡି’ ସରକାରର ଅର୍ଥ ବୁଝାଇଲେ ଫଡ୍‌ନବିସ

ମୁମ୍ବାଇ,୪।୭: ମହାରାଷ୍ଟ୍ର ବିଧାନସଭାରେ ସୋମବାର ଅନୁଷ୍ଠିତ ଆସ୍ଥା ଭୋଟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ବାଜି ମାରିନେଇଛନ୍ତି। ତାଙ୍କ ସପକ୍ଷରେ ୧୬୪ ଜଣ ବିଧାୟକ ଭୋଟ ଦେଇଥିବା ବେଳେ ବିରୋଧୀଙ୍କ ପକ୍ଷରେ ୯୯ ଖଣ୍ଡ ଭୋଟ ଯାଇଛି। ଏହାପରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି। କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ଅଭିଯୋଗ ଉପରେ ନିଜ ମତ ରଖି କରି ଫଡ୍‌ନବିସ ଏକନାଥ ଏବଂ ନିଜ ନାମ ନେଇ ଇଡିର ଅର୍ଥ ବୁଝାଇଥିଲେ। ସେ କହିଛନ୍ତି, ଲୋକମାନେ କହୁଛନ୍ତି ଯେ, ଏହା ହେଉଛି ଇଡି ସରକାର। ହଁ, ଏହା ହେଉଛି ଏକନାଥ ଏବଂ ଦେବେନ୍ଦ୍ରଙ୍କ ଇଡି ସରକାର।

ବିଧାନସଭାରେ ଭାଷଣ ଦେଇ ଫଡ୍‌ନବିସ କହିଛନ୍ତି, ଏକ ଶିବସୈନିକ ଭାବେ ଏକନାଥ ସିନ୍ଧେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୨୦୧୯ରେ ଭାଜପା-ଶିବସେନାକୁ ସଂଖ୍ୟାଗରିଷ୍ଠତା ହାସଲ କରିଛି। କିନ୍ତୁ, ସଂଖ୍ୟାଗରିଷ୍ଠତା ଜାଣିଶୁଣି ଆମଠାରୁ ଛଡ଼ାଇ ନିଆଗଲା। ସେତେବେଳେ ଉଦ୍ଧବ ଠାକ୍‌ରେ ଭାଜପା ସହ ସମ୍ପର୍କ ଭାଙ୍ଗି କଂଗ୍ରେସ-ଏନସିପି ସହ ମିଶି ସରକାର ଗଠନ କରିଥିଲେ। ଏବେ ଏକନାଥ ସିନ୍ଧେଙ୍କ ସମର୍ଥନରେ ଆମେ ଶିବସେନା ସହିତ ସରକାର ଗଠନ କରିଛୁ। ଦଳର ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଁ ଉପମୁଖ୍ୟମନ୍ତ୍ରୀ ହୋଇପାରିଛି। ଯଦି ଦଳ ମୋତେ ଘରେ ବସିବାକୁ କହିଥାନ୍ତା, ତେବେ ଏହା କରିଥାନ୍ତି। ଏହି ଦଳ ମୋତେ ମୁଖ୍ୟମନ୍ତ୍ରୀ କରିପାରିଥିଲା। ଆଜି ମୁଁ କହିବି ଯେ, ଏହି ସରକାରରେ କ୍ଷମତାକୁ ନେଇ କୌଣସି ବିବାଦ ନାହିଁ। ଆମେ ସହଯୋଗ ଜାରି ରଖିବୁ।

Share