ତଥାପି ତିନି ବର୍ଷ ପଛରେ

ଡ. ସନ୍ତୋଷ କୁମାର ମହାପାତ୍ର

ସମ୍ପ୍ରତି ୨୦୨୧-୨୨ ଆର୍ଥିକବର୍ଷର ପ୍ରଥମ ତ୍ରୈମାସିକରେ (ଏପ୍ରିଲ୍‌-ଜୁନ୍‌ ୨୦୨୧) ମୋଟ ଘରୋଇ ଉତ୍ପାଦ(ଜିଡିପି) ୨୦.୧% ବୃଦ୍ଧି ପାଇଛି; ଯାହାକୁ ନେଇ ଆର୍ଥିକ ସୁଧାର ହୋଇଛି ବୋଲି ପ୍ରଚାର କରାଯାଉଛି। ସରକାର ବାହାବା ନେବାକୁ ଚେଷ୍ଟା କରୁଛନ୍ତି। ଅସଲ କଥା ହେଲା, ମହାମାରୀର ପ୍ରଥମ ଲହର ବେଳେ କଠୋର ତାଲାବନ୍ଦ ଯୋଗୁ ଯୋଗାଣ ବ୍ୟାଘାତ ହେବା, କିଣାବିକା ଓ ଚାହିଦା ହ୍ରାସ ପାଇବା, ଯାତାୟାତ ବାଧାପ୍ରାପ୍ତ ହେବା ଯୋଗୁ ପୂର୍ବରୁ ନିମ୍ନମୁଖୀ ଅର୍ଥନୀତି ଆହୁରି ବିପର୍ଯ୍ୟସ୍ତ ହୋଇଥିଲା। କିନ୍ତୁ ଦ୍ୱିତୀୟ ଲହର ବେଳେ ତାଲାବନ୍ଦ କଠୋର ନ ହୋଇ କୋହଳ ହୋଇଥିଲା। ଏହାଦ୍ୱାରା ଆର୍ଥିକ କାର୍ଯ୍ୟକଳାପ ଜାରି ରହିଥିଲା। ପେଣ୍ଟ ଅପ ଡିମାଣ୍ଡ ବୃଦ୍ଧି ଯୋଗୁ ଜିଡିପିରେ ଉନ୍ନତି ହେଲା । କିନ୍ତୁ ତାହା ମହାମାରୀର ପୂର୍ବ ଅବସ୍ଥାକୁ ଫେରି ନାହିଁ। ତଥାପି ତିନି ବର୍ଷ ପଛରେ ରହିଛୁ। କିନ୍ତୁ ପ୍ରଥମ ଅପେକ୍ଷା ଦ୍ୱିତୀୟ ଲହରରେ ଅତ୍ୟଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଅଧିତ୍କ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି। ଏହିପରି ଦୁଃଖଦାୟକ ସ୍ଥିତି ଜିଡିପିରେ ପ୍ରତିଫଳନ ହୋଇ ନ ଥାଏ।
ପ୍ରଥମ କଥା ହେଲା ମୋଟ ଘରୋଇ ଉତ୍ପାଦ(ଜିଡିପି) ଲୋକଙ୍କ କଲ୍ୟାଣର ସୂଚକ ନୁହେଁ। ଏହା ଜୀବନର ଗୁଣାତ୍ମକ ଦିଗ କଥା କୁହେ ନାହିଁ। ଏହା ଏକ ନିର୍ଦ୍ଦିଷ୍ଟ ସମୟର ଅର୍ଥନୈତିକ କାର୍ଯ୍ୟକଳାପର ସୂଚକ। ଧନୀ ଅଧିକ ଧନୀ ହେଲେ ଓ ଗରିବ ଅଧିକ ଗରିବ ହେବା ସମୟରେ ମଧ୍ୟ ଜିଡିପି ବୃଦ୍ଧି ପାଇଥାଏ। ବାସ୍ତବରେ ଜିଡିପି କହିଲେ ଗୋଟିଏ ବର୍ଷର ଚୂଡାନ୍ତ ଦ୍ରବ୍ୟ ଓ ସେବା ନାମାଙ୍କନ ମୂଲ୍ୟରେ ଏବଂ ବାସ୍ତବ ମୂଲ୍ୟରେ ( ମୁଦ୍ରାସ୍ଫୀତିକୁ ବିଚାରକୁ ନେଇ) କେତେ ଆକଳନ ହୋଇଥାଏ। ପ୍ରତି ୩ ମାସରେ ତଥ୍ୟ ପ୍ରଦାନ କରାଯାଏ ଏବଂ ବର୍ଷ ଶେଷରେ ସମଗ୍ର ବର୍ଷର ତଥ୍ୟ ପ୍ରଦାନ କରାଯାଏ। ଏହା ପୂର୍ବ ବର୍ଷର ତ୍ରୈମାସିକ ଏବଂ ବାର୍ଷିକ ଜିଡିପି ସହିତ ତୁଳନା କଲେ କେତେ ବୃଦ୍ଧି ଓ ହ୍ରାସ ହୋଇଛି ଜଣାପଡ଼େ। ଆମେରିକାରେ ଗୋଟିଏ ତ୍ରୈମାସିକରୁ ପରବର୍ତ୍ତୀ ତ୍ରୈମାସିକ ସହିତ ତୁଳନା କରାଯାଇଥାଏ। ଆମ ଦେଶରେ ଗୋଟିଏ ବର୍ଷର ଗୋଟିଏ ତ୍ରୈମାସିକରେ ତା’ର ପୂର୍ବବର୍ଷର ସେହି ତ୍ରୈମାସିକ ତୁଳନାରେ କେତେ ବୃଦ୍ଧି ବା ହ୍ରାସ ପାଇଛି ତାହା ଆକଳନ କରାଯାଇଥାଏ। ଭାରତରେ ବିତ୍ତୀୟ ବର୍ଷ (ଏପ୍ରିଲ-ମାର୍ଚ୍ଚ)ର ଜିଡିପି ଆକଳନ କରାଗଲା ବେଳେ କିଛି ଦେଶ, ବିଶ୍ୱବ୍ୟାଙ୍କ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି କ୍ୟାଲେଣ୍ଡର ବର୍ଷ ହିସାବରେ ଆକଳନ କରିଥାନ୍ତି। ଜିଡିପି ୩ଟି ପଦ୍ଧତିରେ ଯଥା ଉତ୍ପାଦନ (କୃଷି, ଶିଳ୍ପ, ସେବା), ବ୍ୟୟ (ସରକାରୀ, ଘରୋଇ, ରପ୍ତାନି ଓ ଆମଦାନୀ ତଫାତ୍‌) ଏବଂ ଆୟ (ଶ୍ରମର ମଜୁରି, ପୁଞ୍ଜିର ସୁଧ, ଜମିର ଭଡ଼ା, ଉଦ୍ୟୋଗୀର ଲାଭ)ଦ୍ୱାରା ଆକଳନ ହୋଇଥାଏ। ଯେ କୌଣସି ପଦ୍ଧତିରେ ଆକଳନ କଲେ ଫଳାଫଳ ପ୍ରାୟ ସମାନ ଆସିଥାଏ।
ବର୍ତ୍ତମାନ ଯେଉଁ ଜିଡିପି ବୃଦ୍ଧି କଥା କୁହାଯାଉଛି, ବାସ୍ତବରେ ତାହା ନିମ୍ନ ବା ବିଯୁକ୍ତାତ୍ମକ ଭିତ୍ତି ଉପରେ ଆଧାରିତ। ଉଦାହରଣ ସ୍ବରୂପ ୨୦୧୯-୨୦ରେ ଆପଣଙ୍କ ପାଖରେ ୧୦୦ଟଙ୍କା ଥିଲା। ୨୦୨୦-୨୧ରେ ୨୪.୪% ବା ୨୪.୦୪ ଟଙ୍କା ହରାଇଛନ୍ତି। ଅର୍ଥାତ୍‌ ୨୦୨୦-୨୧ରେ ଏହା ୭୫.୯୬ ଟଙ୍କାକୁ ହ୍ରାସପାଇଲା। କିନ୍ତୁ ପୁନର୍ବାର ୨୦୨୧-୨୨ରେ ଏହା ୨୦.୧% ବୃଦ୍ଧିପାଇଲା; ଯାହା ପାଖାପାଖି ୧୫.୨୬ ଟଙ୍କା ହେବ। ଏହାର ଅର୍ଥ ୨୦୨୧-୨୨ ଆପଣଙ୍କ ଅର୍ଥ ପରିମାଣ (୭୫.୯୬+୧୫.୨୬ ଟଙ୍କା) ବା ୯୧.୨୨ଟଙ୍କାକୁ ବୃଦ୍ଧି ପାଇଛି। କିନ୍ତୁ ଆପଣଙ୍କ ଅର୍ଥ ଦୁଇ ବର୍ଷ ପୂର୍ବେ ଯାହା ଥିଲା ତାହା ବର୍ତ୍ତମାନ ୮.୭୮ ଟଙ୍କା କମ୍‌ । ସେହିଭଳି ଭାରତର ଜିଡିପି ବୃଦ୍ଧି ସ୍ଥିତି ରହିଛି। କୋଭିଡ୍‌ ମହାମାରୀଜନିତ ଆର୍ଥିକ ସଙ୍କଟ ଯୋଗୁ ଭାରତର ଜିଡିପି ୨୦୨୦-୨୧ ରେ ବିଯୁକ୍ତାତ୍ମକ ୭.୩% ଏବଂ ସେହି ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରିଲ୍‌-ଜୁନ୍‌ ୨୦୨୦)ବିଯୁକ୍ତାତ୍ମକ ୨୪.୪% ହୋଇଥିଲା। କିନ୍ତୁ ୨୦୨୧-୨୨ ବର୍ଷର ପ୍ରଥମ ତ୍ରୈମାସିକରେ (ଏପ୍ରିଲ୍‌-ଜୁନ୍‌ ୨୦୨୧)୨୦.୧% ବୃଦ୍ଧି ପାଇଛି। ଜାନୁୟାରୀ-ମାର୍ଚ୍ଚ ୨୦୨୧ରେ ୧.୬% ବୃଦ୍ଧି ପାଇଥିଲା। ଗ୍ରେଟବ୍ରିଟେନରେ ଏହା ୨୨.୨% ବୃଦ୍ଧି ପାଇଛି। ଚାଇନାରେ ସର୍ବଦା ଯୁକ୍ତାତ୍ମକ ଅଭିବୃଦ୍ଧି ରହିଛି।
ଏହି ବୃଦ୍ଧିକୁ ନେଇ ଆର୍ଥିକ ସୁଧାର ହୋଇଛି ବୋଲି ପ୍ରଚାର କରାଯାଉଛି। କିନ୍ତୁ ଆର୍ଥିକ ସୁଧାର ଆସିଛି ବୋଲି କୁହାଯିବ, ଯେତେବେଳେ ସଙ୍କଟ ଆରମ୍ଭ ହେବାର ପୂର୍ବ ଅବସ୍ଥାକୁ ଅର୍ଥନୀତି ଫେରିବ। ଆମର ଅର୍ଥନୀତି ୨୦.୧% ବଦଳରେ ୩୨% ବୃଦ୍ଧି ପାଇଥିଲେ ମହାମାରୀ ପୂର୍ବ ଅବସ୍ଥାକୁ ଫେରିଥାନ୍ତା। ଏପ୍ରିଲ-ଜୁନ୍‌ ୨୦୧୮ରେ ଭାରତର ଜିଡିପି ୩୩.୮୪ ଲକ୍ଷ କୋଟି ଟଙ୍କା ଥିଲା। ଏପ୍ରିଲ୍‌-ଜୁନ୍‌ ୨୦୧୯ରେ ଏହା ୫.୪% ବୃଦ୍ଧିପାଇ ୩୫.୬୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ଏପ୍ରିଲ୍‌-ଜୁନ୍‌ ୨୦୨୦ରେ ୨୪.୪% ହ୍ରାସ ପାଇ ୨୬.୯୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ଏପ୍ରିଲ-ଜୁନ୍‌ ୨୦୨୧ରେ ୨୦.୧% ବୃଦ୍ଧି ପାଇ ୩୨. ୩୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏହାର ଅର୍ଥ ହେଉଛି ଏପ୍ରିଲ୍‌-ଜୁନ୍‌ ୨୦୨୧ରେ ଭାରତର ଜିଡିପି ୩ ବର୍ଷ ପୂର୍ବେ, ଅର୍ଥାତ୍‌ ଏପ୍ରିଲ-ଜୁନ୍‌ ୨୦୧୮ର ଜିଡିପିଠାରୁ କମ୍‌। ଯଦି ଜିଡିପି ଅଭିବୃଦ୍ଧି ୫.୪% ବଜାୟ ରହିଥାନ୍ତା, ଏପ୍ରିଲ-ଜୁନ୍‌ ୨୦୨୧ରେ ଜିଡିପି ୩୨.୯୮ ଲକ୍ଷ କୋଟି ଟଙ୍କା ନୁହେଁ ୩୯.୩୬ ଲକ୍ଷ କୋଟି ଟଙ୍କା ହୋଇଥାନ୍ତା।
ଜାନୁୟାରୀ-ମାର୍ଚ୍ଚ ୨୦୨୧ରେ ଭାରତର ଜିଡିପି ମୂଲ୍ୟ ୩୮.୯୬ ଲକ୍ଷ କୋଟି ଟଙ୍କା ଥିଲା । ଅର୍ଥାତ୍‌ ଜାନୁୟାରୀ-ମାର୍ଚ୍ଚ ୨୦୨୧ ତୁଳନାରେ ଏପ୍ରିଲ -ଜୁନରେ ଜିଡିପି ୧୬.୯ % ହ୍ରାସ ପାଇଛି। ଏହି ସମୟରେ ଆମେରିକା ଜିଡିପି ୬.୬% ବୃଦ୍ଧି ପାଇଛି। ଆଉ ଯଦି ମହାମାରୀ ପୂର୍ବ ସ୍ଥିତି( ଏପ୍ରିଲ -ଜୁନ ୨୦୧୯) ତୁଳନାରେ ବିଚାର କରାଯାଏ, ତେବେ ଜିଡିପି ୯.୨% କମ୍‌ ରହିଛି। ଘରୋଇ ଅନ୍ତିମ ବ୍ୟବହାର ଖର୍ଚ୍ଚ (private final consumption expenditure), ଯାହା ପାରିବାରିକ ବ୍ୟୟ ସୂଚିତ କରେ (ତାହା ଜିଡିପିର ୫୫ରୁ ୬୦%), ତାହା ମହାମାରୀ ପୂର୍ବ ସ୍ଥିତି ତୁଳନାରେ ୧୧.୯%, କମ୍‌ ରହିଛି। ସେହିପରି ସରକାରୀ ଅନ୍ତିମ ବ୍ୟବହାର ଖର୍ଚ୍ଚ ପୂର୍ବବର୍ଷ ତୁଳନାରେ ୪.୮ % କମ୍‌ ରହିଛି। ଏହା ସରକାରଙ୍କ ଦୁର୍ବଳତା ସୂଚାଉଛି।
ମୋଟ ସ୍ଥାୟୀ ପୁଞ୍ଜି ସୃଜନୀକରଣ, ଯାହା ନିବେଶ ସୂଚାଇଥାଏ ମହାମାରୀ ପୂର୍ବ ସ୍ଥିତି ଅନୁସାରେ ୧୭.୧୦% ଏବଂ ଗ୍ରସ ଭାଲ୍ୟୁ ଆଡେଡ (ଜିଡିପି ଆକଳନ ବେଳେ ପରୋକ୍ଷ କରଯୁକ୍ତ କଲାବେଳେ ସବ୍‌ସିଡି ବିଯୁକ୍ତ କରିଥାଏ) ଦୃଷ୍ଟିରୁ ୭.୮% କମ୍‌ ରହିଛି। କୃଷି, ବିନିର୍ମାଣ କ୍ଷେତ୍ରରେ (manufacturing) ବୃଦ୍ଧି ଭଲ ହୋଇଥିଲା ବେଳେ ଅନ୍ୟ କ୍ଷେତ୍ରରେ ବୃଦ୍ଧି ସେପରି ଆଶାଜନକ ନୁହେଁ। କିନ୍ତୁ ବିନିର୍ମାଣ କ୍ଷେତ୍ରର ମୂଲ୍ୟ ଏବେ ବି ମହାମାରୀ ପୂର୍ବ ସ୍ଥିତି ତୁଳନାରେ ୪% କମ୍‌ ରହିଛି। ବେକାରି ହାର ଜୁଲାଇ ୨୦୨୧ରେ ୬.୯୫%ଥିଲା ଓ ତାହା ଅଗଷ୍ଟରେ ୮.୩୨%କୁ ବୃଦ୍ଧି ପାଇଛି।
ଉପଭୋକ୍ତାମାନଙ୍କ ଉତ୍ସାହ ମାର୍ଚ୍ଚ ୨୦୨୦ରେ ଯାହାଥିଲା, ତାହା ଜୁଲାଇ ୨୦୨୧ରେ ୪୫% କମ୍‌ ରହିଛି। ମୁଣ୍ଡପିଛା ଜିଡିପି ଦୃଷ୍ଟିରୁ ୧୯୪ ଅର୍ଥନୀତି ମଧ୍ୟରୁ ଭାରତ ୧୪୫ତମ ସ୍ଥାନରେ ରହିଛି। ଏହାର ଅର୍ଥ ହେଉଛି ୧୪୪ଟି ଦେଶ ପଛରେ। ଅତ୍ୟନ୍ତ ଲଜ୍ଜାକର ହେଉଛି ଆମେ ବାଂଲାଦେଶ ପଛରେ ଅଛୁ। ଅନ୍ୟ ସବୁ ଅନ୍ତର୍ଜାତୀୟ ସୂଚକାଙ୍କରେ ମଧ୍ୟ ବହୁ ପଛରେ ରହିଛୁ । ଆମେ ଚାଇନା ସହିତ ତୁଳନା କରୁ କାରଣ ଉଭୟ ଦେଶର ଜନସଂଖ୍ୟା ଅଧିକ। ୧୯୮୭ରେ ଉଭୟ ଦେଶର ନାମାଙ୍କନ ଜିଡିପି ପ୍ରାୟ ସମାନ ଥିଲା। ୧୯୯୦ରେ ଚାଇନା ଭାରତଠାରୁ ଟିକେ ଆଗରେ ଥିଲା। ୨୦୨୦ ମସିହାରେ ଚାଇନାର ଜିଡିପି (୧୪.୭ ଟ୍ରିଲିୟନ ଡଲାର) ଭାରତ ଜିଡିପି (୨.୬୩ ଟ୍ରିଲିୟନ ଡଲାର ) ତୁଳନାରେ ୫.୫.୮ ଗୁଣ ଅଧିକ।
ଧନୀ ଅଧିକ ଧନୀ ହେଲେ ବା ଜନସଂଖ୍ୟା ବୃଦ୍ଧି ପାଇବା ଯୋଗୁ ବ୍ୟୟ ବା ଉପଭୋଗ ବୃଦ୍ଧି ପାଇଲେ ମଧ୍ୟ ଜିଡିପି ବୃଦ୍ଧି ପାଇବ। କିନ୍ତୁ ଜିଡିପି ଦ୍ୱାରା କାହାର କେତେ ଲାଭ ହେଉଛି, କେଉଁ ଶ୍ରେଣୀ କେତେ ଉପକୃତ ହେଉଛନ୍ତି ତାହା କମ୍‌ ଆଲୋଚନା ହୋଇଥାଏ। ବାସ୍ତବରେ ଜିଡିପି ବୃଦ୍ଧି ସହିତ ବୈଷମ୍ୟ ବୃଦ୍ଧି ପାଉଛି। ଆଜି ଯେଉଁ ଜିଡିପି ବୃଦ୍ଧି ଘଟୁଛି ତାହା ଋଣ ବୃଦ୍ଧିଜନିତ ବ୍ୟୟ ଯୋଗୁ ହେଉଛି। ଅଭିବୃଦ୍ଧି ଯୋଗୁ ଯେଉଁ ସମ୍ପଦ ସୃଷ୍ଟି ହେଉଛି ତାହା ମୁଖ୍ୟ ଭାଗ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ପାଖକୁ ଗଲାବେଳେ, ଋଣର ବୋଝ ଗରିବଙ୍କ ଉପରେ ପଡୁଛି। କାରଣ ଋଣ ପରିଶୋଧ ପାଇଁ ସରକାର ବିଭିନ୍ନ ଜନହିତକର ବ୍ୟୟ ହ୍ରାସ କରୁଛନ୍ତି। କ୍ଷୁଧା, ଦାରିଦ୍ର୍ୟ, ବେକାରି, ବୈଷମ୍ୟ, ଦୁର୍ନୀତି ଏବେ ବି ବ୍ୟାପକ।
skmohapatra67@gmail.com
ମୋ : ୯୪୩୭୨୦୮୭୬୨