ମସ୍କୋ,୩୦।୮: ୱାଗନର୍ ଗ୍ରୁପ ମୁଖ୍ୟ ୟେଭେଗେନି ପ୍ରିଗୋଝିନ୍ଙ୍କ ଦେହାନ୍ତ ହୋଇସାରିଛି। ରୁଷିଆ ନିଜେ ଏହା ନିଶ୍ଚିତ କରିଛନ୍ତି। ମଙ୍ଗଳବାର ରୁଷର ସେଣ୍ଟ ପିଟର୍ସବର୍ଗ ସହରରେ ପ୍ରିଗୋଝିନ୍ଙ୍କ ଶେଷକୃତ୍ୟ କରାଯାଇଛି। ତେବେ ସମସ୍ତ ପ୍ରମାଣ ପରେ ମଧ୍ୟ ପ୍ରିଗୋଝିନ୍ ଜୀବିତ ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ରୁଷିଆ ଭିତରୁ ଏଭଳି ଦାବି କରାଯାଉଛି। ଏହି ଦାବିଗୁଡିକର ମୁଖ୍ୟ କାରଣ ହେଉଛି ପ୍ରିଗୋଝିନ୍ଙ୍କ ପୁରୁଣା ଇତିହାସ।
ରିପୋର୍ଟ ଅନୁଯାୟୀ, ରୁଷିଆର ରାଜନୈତିକ ବିଶ୍ଳେଷକ ଦାବି କରିଛନ୍ତି ଯେ, ପ୍ରିଗୋଝିନ୍ ଏପର୍ଯ୍ୟନ୍ତ ମରି ନାହାଁନ୍ତି। ଅଗଷ୍ଟ ୨୩ରେ ବିମାନ ଦୁର୍ଘଟଣାରେ ପ୍ରିଗୋଝିନ୍ ନ ଥିଲେ। ଏପରିକି ସେ ଦାବି କରିଛନ୍ତି ଯେ, ୱାଗନର୍ ମୁଖ୍ୟ ଏକ ଅଜ୍ଞାତ ଦେଶରେ ଉପସ୍ଥିତ ଅଛନ୍ତି ଏବଂ ମୁକ୍ତ ଭାବରେ ବୁଲୁଛନ୍ତି। ଏହି ଦାବି କରୁଥିବା ବ୍ୟକ୍ତିଙ୍କ ନାମ ଭାଲେରୀ ସୋଲୋଭି। ସେ ରୁଷିଆର ଜଣେ ଜଣାଶୁଣା ରାଜନୈତିକ ବିଶ୍ଳେଷକ।