କୋରୋନିଲ୍‌ ଉପରେ ସ୍ପଷ୍ଟୀକରଣ ରଖିଲେ ଯୋଗ ଗୁରୁ

ହରିଦ୍ୱାର,୧।୭: ଯୋଗ ଗୁରୁ ରାମଦେବ ବାବା କୋରୋନିଲ୍‌ ବିବାଦ ଉପରେ ନିଜର ସ୍ପଷ୍ଟୀକରଣ ରଖିଛନ୍ତି। ବୁଧବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ରାମଦେବ କହିଛନ୍ତି, କୋରୋନିଲ୍‌ କାର୍ଯ୍ୟରେ ଆମର ଉଦ୍ୟମକୁ ଆୟୁଷ ମନ୍ତ୍ରଣାଳୟ ପ୍ରଶଂସା କରିଛି। କରୋନା ଉପରେ ଉଭୟ କ୍ଲିନିକାଲ କଣ୍ଟ୍ରୋଲ ଟ୍ରାୟଲ୍‌ ଓ ପଞ୍ଜିକରଣ ପ୍ରକ୍ରିୟା ନିୟମକୁ ପାଳନ କରାଯାଇଛି। କ୍ଲିନିକାଲ ଟ୍ରାୟଲ୍‌ରେ ଯାହା ପାରାମିଟର ରହିଛି ସେନେଇ ଗବେଷଣା କରାଯାଇଛି। ଏପର୍ଯ୍ୟନ୍ତ କରୋନା ଉପରେ କ୍ଲିନିକାଲ ଟ୍ରାୟଲ ଚାଲିଛି। ଏତଦ୍‌ ବ୍ୟତୀତ ୧୦ରୁ ଊର୍ଦ୍ଧ୍ୱ ରୋଗ ଉପରେ ମଧ୍ୟ ଟ୍ରାୟଲ୍‌ କରାଯାଉଛି। ଆଉ ଏଥିରେ ୩ଟି ସ୍ତର ଅତିକ୍ରମ କରିସାରିଛୁ ବୋଲି ବାବା ରାମଦେବ କହିଛନ୍ତି। ଟ୍ରାୟଲ୍‌ କରାଯାଉଥିବା ରୋଗ ମଧ୍ୟରେ ଉଚ୍ଚ ରକ୍ତଚାପ, ଆଜମା, ହୃତ୍‌ପିଣ୍ଡ, ଚିକନଗୁନିଆ ଆଦି ସାମିଲ ରହିଛି। ସୂଚନାଯୋଗ୍ୟ, ଜୁନ ୨୩ରେ ବାବା ରାମଦେବ କରୋନାର ଆୟୁର୍ବେଦିକ ଔଷଧ କୋରୋନିଲ୍‌ର ଶୁଭାରମ୍ଭ କରିଥିଲେ। ଏହି ଔଷଧ ଦ୍ୱାରା ୭ଦିନରେ କରୋନା ୧୦୦ପ୍ରତିଶତ ଭଲ ହୋଇଯିବ ବୋଲି ଦାବି କରାଯାଇଥିଲା। ହେଲେ ଶୁଭାରମ୍ଭ ହେବାର କିଛି ସମୟ ମଧ୍ୟରେ ହିଁ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ଏହି ବିବାଦ ଉପରେ ବୁଧବାର ରାମଦେବ ସ୍ପଷ୍ଟୀକରଣ ରଖିଛନ୍ତି।

Share