ସ୍କୁଲରେ ପ୍ରାର୍ଥନା ପରେ ଛାତ୍ରୀଛାତ୍ରଙ୍କୁ ଯୋଗଶିକ୍ଷା

ଭୁବନେଶ୍ୱର, ୨୧ା୭(ଅସମାପିକା ସାହୁ): ରାଜ୍ୟର ସ୍କୁଲଗୁଡିକରେ ପିଲାଙ୍କ ପାଠପଢ଼ା ସହ ଖେଳକୁଦକୁ ଗୁରୁତ୍ୱ ଦିଆଯାଉଛି। ଏବେ କ୍ରୀଡ଼ା ସହିତ ସ୍କୁଲରେ ଯୋଗଶିକ୍ଷା ଦେବା ପାଇଁ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏଥିସହ ଛାତ୍ରୀଛାତ୍ରଙ୍କୁ କ୍ରୀଡ଼ା ପ୍ରୋତ୍ସାହନ ପାଇଁ ଗାଇଡ୍‌ଲାଇନ ଜାରି ହୋଇଛି। ଗତ ମେ’ ୬ରେ ବିଭାଗୀୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ହୋଇଥିବା ନିଷ୍ପତ୍ତିକୁ ନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ସମ୍ପର୍କିତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ପ୍ରାର୍ଥନା ପରେ ୧୦ ମିନିଟ ପାଇଁ ପିଲା ସ୍କୁଲରେ ଯୋଗ କରିବେ। କ୍ରୀଡ଼ା ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କୁ ଦଣ୍ଡାୟମାନ ଅବସ୍ଥାରେ ହୋଇପାରୁଥିବା କିଛି ଯୋଗ, ପ୍ରାଣାୟାମ ତଥା ଶାରୀରିକ ବ୍ୟାୟାମ କରାଇବେ। ଏହା ପିଲାଙ୍କୁ ପାଠପଢ଼ାରେ ମନ ଲଗାଇବାରେ ସାହାଯ୍ୟ କରିବ ବୋଲି କୁହାଯାଇଛି। ସେହିପରି ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ସ୍କୁଲରେ ପ୍ରତିଭା ଚିହ୍ନଟ ପାଇଁ ପରାମର୍ଶ ଦିଆଯାଇଛି। ୧୫ ଜିଲା ଶାରୀରିକ ଶିକ୍ଷା ଅଧିକାରୀ(ଡିପିଇଓ) ଏବଂ ୧୫ଜଣ ଭାରପ୍ରାପ୍ତ ଡିପିଇଓଙ୍କୁ ସ୍କୁଲ, ବ୍ଲକ ଓ ଜିଲାସ୍ତରରେ କ୍ରୀଡ଼ା ଆକ୍ଟିଭିଟିଜ୍‌ର ଯାଞ୍ଚ କରିବେ। ଯେଉଁ ସ୍କୁଲ ଜିଲାସ୍ତରରେ ଭଲ କରିବ, ସେହି ସ୍କୁଲକୁ କିଟ୍‌ସ ମିଳିବ। ଜାତୀୟ ଇଭେଣ୍ଟ ପାଇଁ ଯୋଗ୍ୟ ରାଜ୍ୟ ଟିମ୍‌କୁ କଳିଙ୍ଗ ଷ୍ଟାଡିୟମରେ ଟ୍ରେନିଂ ମିଳିବ ବୋଲି ଉକ୍ତ ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି।

Share