
ନୂଆଦିଲ୍ଲୀ,୨୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଭାଜପା ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଗୁରୁବାର ଦିଲ୍ଲୀର କିରାଡ଼ିରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ସେ କେଜରିଓ୍ବାଲଙ୍କୁ ସମାଲୋଚନା କରିଛନ୍ତି। ୨୦୨୦ରେ ଦିଲ୍ଲୀରେ ଦଙ୍ଗା କରାଯାଇଥିଲା। ଏଥିରେ ଆମ ଆଦମୀ ପାର୍ଟିର ଏମ୍ପି ଏବଂ ବିଧାୟକ ସାମିଲ ଥିଲେ। ସେମାନେ ସର୍ବଦା ଜାତୀୟ ସୁରକ୍ଷା ସହ ଖେଳୁଛନ୍ତି ବୋଲି ଯୋଗୀ କହିଛନ୍ତି।
ସେହିଭଳି ଅନ୍ନା ହଜାରେଙ୍କ କଥା ମନେ ପକାଇ ଯୋଗୀ କହିଛନ୍ତି, ଯେଉଁ ବ୍ୟକ୍ତି ନିଜର ଗୁରୁ ଅନ୍ନା ହଜାରେଙ୍କ ସହ ବିଶ୍ୱାସଘାତକତା କରିପାରେ, ସେ ସାଧାରଣଜନତାଙ୍କ ସହ ବିଶ୍ୱାସଘାତ କରିବାରେ ପାରଙ୍ଗମ ହୋଇଥିବେ। ଦିଲ୍ଲୀରେ ଜଣାପଡ଼ୁନାହିଁ ଯେ ରାସ୍ତାରେ ଗାତ ରହିଛି ନା ଗାତରେ ରାସ୍ତା ହୋଇଛି। ସଫେଇ ବ୍ୟବସ୍ଥା ଶୋଚନୀୟ, ଚାରିଆଡେ କୁଢ଼ କୁଢ଼ ଆବର୍ଜନା। ଦିଲ୍ଲୀରେ ଆପ୍ ସରକାରଙ୍କ ପାପର ଫଳ ପବିତ୍ର ମଥୁରା, ବୃନ୍ଦାବନର ସାଧୁସନ୍ଥଙ୍କୁ ଭୋଗିବାକୁ ପଡ଼ୁଛି। ଯେବେ ବି ନମାମି ଗଙ୍ଗେ ଯୋଜନାରେ ସଫେଇ କଥା ଉଠୁଛି, କେଜ୍ରିଓ୍ବାଲ ଆଣ୍ଡ କମ୍ପାନୀ ସହଯୋଗ କରୁନାହାନ୍ତି। ଆମ୍ ଆଦ୍ମୀ ପାର୍ଟି ମିଛ କହିବାର ମେଶିନ। ସେମାନେ ଅନୁପ୍ରବେଶକାରୀଙ୍କୁ ଆଧାର କାର୍ଡ ବାଣ୍ଟୁଛନ୍ତି। ରୋହିଙ୍ଗ୍ୟାମାନଙ୍କୁ ଦିଲ୍ଲୀରେ ଅବସ୍ଥାପିତ କରୁଛନ୍ତି ବୋଲି ଆଦିତ୍ୟନାଥ କହିଛନ୍ତି।
ହିନ୍ଦୁତ୍ୱର ଫାୟାରବ୍ରାଣ୍ଡ ବୋଲି କୁହାଯାଉଥିବା ଆଦିତ୍ୟନାଥ କହିଛନ୍ତି, ଆପଣ ଦେଖିଥିବେ ମୋ ସହ ପ୍ରୟାଗରାଜରେ ୫୪ ମନ୍ତ୍ରୀ ବୁଡ଼ ପକାଇଥିଲେ। ଜଣେ ମୁଖ୍ୟମନ୍ତ୍ରୀ ଭାବେ ଯଦି ମୁଁ ଏବଂ ମୋର ମନ୍ତ୍ରୀମାନେ ବୁଡ଼ ପକାଇପାରିଲେ ତେବେ ଆମ୍ ଆଦମୀର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପଚାରିବାକୁ ଚାହୁଁଛି କ’ଣ ସେ ଯମୁନା ଯାଇ ନିଜ ମନ୍ତ୍ରୀମାନଙ୍କ ସହ ବୁଡ଼ ପକାଇପାରିବେ?
କହିରଖୁଛୁ, ଆଦିତ୍ୟନାଥ ଲୋକ ସଭା ନିର୍ବାଚନ ୨୦୨୪ରେ ଭାଜପାର ଆଶା ମୁତାବକ ଫଳାଫଳ ନ ଆସିବା ପରେ ହରିୟାଣା, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡର ନିର୍ବାଚନରେ ଜୋରଦାର ପ୍ରଚାର କରିଥିଲେ। ଏହି ସମୟରେ ସେ ଦେଇଥିବା ‘ବଟେଙ୍ଗେ ତୋ କଟେଙ୍ଗେ’ ସ୍ଲୋଗାନ ବେଶ ଚର୍ଚ୍ଚାରେ ଥିଲା। ହରିୟାଣା ଏବଂ ମହାରାଷ୍ଟ୍ର ନିର୍ବାଚନରେ ଭାଜପା ବିପରିତ ସ୍ଥିତି ସତ୍ତ୍ୱେ ବିଜେତା ହୋଇଥିଲା। ଏଥିରେ ଆଦିତ୍ୟନାଥଙ୍କ ବଡ଼ ଯୋଗଦାନ ରହିଥିଲା।