Categories: ଜାତୀୟ

ଗୋରଖପୁରରୁ ନାମାଙ୍କନ ପତ୍ର ଦାଖଲ କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୪।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ରାଜ୍ୟର ଗୋରଖପୁର ବିଧାନସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ରୁଦ୍ରାଭିଷେକ କରିଥିଲେ। ସିଏମ ଯୋଗୀ ଆଦିତ୍ୟନାଥଙ୍କ ନାମାଙ୍କନ ପତ୍ର ଦାଖଲବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ୟୁପି ଭାଜପା ମୁଖ୍ୟ ସ୍ବତନ୍ତ୍ର ଦେବ ସିଂ ଉପସ୍ଥିତ ଥିଲେ। ଯୋଗୀ ଆଦିତ୍ୟନାଥଙ୍କ ନାମାଙ୍କନ ପାଇଁ ପ୍ରସ୍ତାବକ ଭାବରେ ଶିକ୍ଷାବିତ୍‌ ମୟଙ୍କେକେଶ୍ୱର ପାଣ୍ଡେ ଏବଂ କେମିକାଲ ଇଞ୍ଜିନିୟର ସୁରେନ୍ଦ୍ର କୁମାର ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ ପୂର୍ବରୁ ଶାହା ଏକ ସାଧାରଣ ସଭାରେ ସମ୍ବୋଧିତ କରି କହିଥିଲେ, ଯୋଗୀ ଜୀଙ୍କ ନାମାଙ୍କନ ସହିତ ଆଜି ପୁଣି ଥରେ ଏଠାରୁ ୩୦୦ ଅତିକ୍ରମ କରିବାର ସଂକଳ୍ପ ନେଇ ଭାଜପା ପୁରା ୟୁପିରେ ଆଗକୁ ବଢୁଛି। ଉତ୍ତରପ୍ରଦେଶରେ ଆଜି ପୁଣି ଥରେ ଭାଜପା ଇତିହାସର ପୁନରାବୃତ୍ତି କରିବାକୁ ଯାଉଛି। ୨୦୧୪, ୨୦୧୭ ଏବଂ ୨୦୧୯ ତିନୋଟି ନିର୍ବାଚନରେ ଉତ୍ତରପ୍ରଦେଶର ଲୋକମାନେ ମୋଦି ଜୀଙ୍କ ନେତୃତ୍ୱରେ ୟୁପିର ବିକାଶ ପାଇଁ ବହୁ ସଂଖ୍ୟାରେ ଭୋଟ ଦେଇଛନ୍ତି। ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି।

Share