ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶ ରାଜନୀତିରେ ଭାଜପା ଓ ସମାଜବାଦୀ ପାର୍ଟି ପରସ୍ପରର ତୀବ୍ର ବିରୋଧୀ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ନିଷ୍ପତ୍ତି ଉପରେ ଏସ୍ପି ମେଣ୍ଟ ଦଳମାନେ ସର୍ବଦା ବିରୋଧ କରିଥାନ୍ତି। କିନ୍ତୁ ଏହା କେବଳ ରାଜନୈତିକ କ୍ଷେତ୍ରରେ ସୀମିତ ହୋଇ ରହିଥାଏ। ଯାହାକୁ ପ୍ରମାଣିତ କରି ଦେଖାଇଛି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଫଟୋ। ସୂଚନାଯୋଗ୍ୟ, ଶନିବାର ଏସ୍ପି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପତ୍ନୀ ସାଧନା ଗୁପ୍ତାଙ୍କର ଦେହାନ୍ତ ହୋଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ। ଏଥିସହ ଯୋଗୀ ରବିବାର ତାଙ୍କ ଘରେ ପହଞ୍ଚି ସାଧନା ଗୁପ୍ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସମୟରେ ସେ ମୁଲାୟମ ସିଂଙ୍କ ଘରେ କିଛି ସମୟ ବିତାଇଥିଲେ। ଏହାପରେ ସେ ମୁଲାୟମ୍ଙ୍କ ନିକଟକୁ ଯାଇ ଏହି ଦୁଃଖଦ ସମୟରେ ତାଙ୍କୁ ସାନ୍ତ୍ୱନା ଦେଇଥିଲେ। ଏତିକି ବେଳେ ଯୋଗୀ ମୁଲାୟମ୍ଙ୍କ ହାତ ଧରିଥିବା ବେଳେ ଏସ୍ପି ସୁପ୍ରିମୋଙ୍କ ଆଉ ଏକ ହାତ ମୁଖ୍ୟମନ୍ତ୍ରୀଙ୍କ କାନ୍ଧରେ ଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଏହି ଦୁଇଜଣଙ୍କ ବ୍ୟତୀତ ସେଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ପ୍ରତୀକ ଯାଦବ, ଅପଣ୍ଣର୍ର୍ା ଯାଦବ ଏବଂ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହାକୁ ବହୁ ଶେୟାର କରାଯାଇଛି।