ଲକ୍ଷ୍ନୌ,୧୦।୧୦: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି(ଏସ୍ପି)ର ପ୍ରତିଷ୍ଠାତା ମୁଲାୟମ୍ ସିଂହ ଯାଦବଙ୍କ ସୋମବାର ସକାଳେ ପରଲୋକ ଘଟିଛି। ଅପରାହ୍ନରେ ତାଙ୍କର ପାର୍ଥିବ ଶରୀର ପୈତୃକ ଗ୍ରାମ ଉତ୍ତରପ୍ରଦେଶର ସୈଫଇରେ ପହଞ୍ଚିଛି। ଅନ୍ତିମ ଦର୍ଶନ ପାଇଁ ତାଙ୍କ ବାସଭବନରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଛି। ସୈଫଇ ସହିତ ମୈନପୁରୀ, ଇଟାଓ୍ବାରୁ ସମର୍ଥକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି। ଇତିମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସୈଫଇରେ ପହଞ୍ଚି ମୁଲାୟମଙ୍କୁ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଅନ୍ୟପଟେ ଆଜମ ଖାଁ ଓ ତାଙ୍କ ପୁଅ ଅବଦୁଲ୍ଲା ଆଜମ ରାମପୁରରୁ ସୈଫଇ ଗସ୍ତ କରିଛନ୍ତି। ଆଜମ ଓ ମୁଲାୟମଙ୍କ ସମ୍ପର୍କ ଘନିଷ୍ଠ ରହିଥିବା ବେଳେ ସେ ମୁଲାୟମଙ୍କ ନାମ ନେତାଜୀ ବୋଲି ଦେଇଥିଲେ।