Categories: ଜାତୀୟ

ଯୋଗୀଙ୍କ ଶପଥ ଗ୍ରହଣ ପୂର୍ବରୁ ହେବ ପୂଜାର୍ଚ୍ଚନା, ଯୋଗ ଦେବେ ମୋଦି

ଲକ୍ଷ୍ନୌ,୨୫ ।୩: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଶପଥ ନେବାକୁ ଯାଉଛନ୍ତି । ସନ୍ଧ୍ୟା ୪ଟାରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ପୂଜାର୍ଚ୍ଚନା କରାଯିବ । ସାରା ଦେଶରେ ବିଭିନ୍ନ ମନ୍ଦିରରେ ସକାଳ ୯ଟା ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରାଯିବ । ଲୋକ କଲ୍ୟାଣ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) କର୍ମୀ ପ୍ରାୟ ୨୭ ହଜାରରୁ ଅଧିକ ଶକ୍ତିପୀଠରେ ପୂଜା କରିବାର ବ୍ୟବସ୍ଥା କରାଯାଇଛି ।
ଉତ୍ତର ପ୍ରଦେଶ ଇତିହାସରେ ଏହା ପ୍ରଥମଥର ହେବାକୁ ଯାଉଛି କି ଦୀର୍ଘ ୩ ଦଶକରୁ ଅଧିକ ସମୟ ପରେ କେହି ମୁଖ୍ୟମନ୍ତ୍ରୀ ଲଗାତାର ଦ୍ୱିତୀୟ ଥର ଲାଗି କାର୍ଯ୍ୟଭାର ସମ୍ଭାଳିବାକୁ ଯାଉଛନ୍ତି । ତେବେ ଭାରତୀୟ ଜନତା ପାର୍ଟି(ଭାଜପା)ର ଐତିହାସିକ ବିଜୟ ପରେ ପୁଣିଥରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି । କେବଳ ସେତିକି ନୁହେଁ ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବ ବି ଐତିହାସିକ ହେବାକୁ ଯାଉଛି । ଶପଥ ଗ୍ରହଣ ସମାରୋହ ପାଇଁ କେବଳ ଅଟଳ ବିହାରୀ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମ ନୁହେଁ ବରଂ ବିମାନ ବନ୍ଦରଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ଲକ୍ଷ୍ନୌ ସହରକୁ ସଜାଇ ଦିଆଯାଇଛି ।
ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଉଥିବା ଅତିଥିଙ୍କ ଲିଷ୍ଟ ଖୁବ୍ ଲମ୍ବା ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଏଥିରେ ଯୋଗ ଦେବେ । ଏହାସହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ ବି ଯୋଗଦେବେ । କେବଳ ସେତିକି ନୁହେଁ ବିରୋଧି ଦଳର ନେତାଙ୍କୁ ବି ଏହି ସମାରୋହରେ ଯୋଗ ଦେବାକୁ ନିମନ୍ତ୍ରଣ ଦିଆଯାଇଛି ।
ଏତିକିରେ ସରିନି ଅିଥିଙ୍କ ତାଲିକା । ବଲିଉଡ ଜଗତରୁ କେତେଜଣ ନାମିଦାମୀ ବ୍ୟକ୍ତି ବିଶେଷ ବି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ମୁଭି ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ, ଅଭିନେତ୍ରୀ ପଲ୍ଲବି ଯୋଶୀଙ୍କୁ ବି ନିମନ୍ତ୍ରଣ କରାଯାଇଛି ।

Share