Categories: ଜାତୀୟ

ଅନେକ ରେକର୍ଡ ଭାଙ୍ଗିଲେ ଯୋଗୀ

ଲକ୍ଷ୍ନୌ,୧୧ା୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଛି। ଗୋରଖପୁର ସହରାଞ୍ଚଳ ଆସନରୁ ବିଜୟୀ ହୋଇଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କ ଦଳ ନିର୍ବାଚନରେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି।

ଉତ୍ତରପ୍ରଦେଶରେ ୫ ବର୍ଷ କାର୍ଯ୍ୟକାଳ ପୂରଣ କରି କ୍ରମାଗତ ଦ୍ୱିତୀୟ ଥର କ୍ଷମତାକୁ ଆସିବାରେ ଯୋଗୀ ଆଦିତ୍ୟନାଥ ରେକର୍ଡ କରିଛନ୍ତି। ୧୯୫୨ ମେ’ ୨୦ରେ ଉତ୍ତରପ୍ରଦେଶ ବିଧାନସଭା ଗଠନ ହୋଇଥିଲା। ୭୦ ବର୍ଷ ମଧ୍ୟରେ ରାଜ୍ୟ ୨୧ ମୁଖ୍ୟମନ୍ତ୍ରୀ ଦେଖିଛି। ତେବେ ଯୋଗୀ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ କ୍ଷମତାରେ ୫ ବର୍ଷ ସମ୍ପୂର୍ଣ୍ଣ କରିବା ପରେ କ୍ରମାଗତ ଦ୍ୱିତୀୟ ଥର କ୍ଷମତାକୁ ଆସି ଇତିହାସ ସୃଷ୍ଟି କରିଛନ୍ତି। ସେହିପରି କ୍ରମାଗତ ବିଜୟୀ ହେବାରେ ଯୋଗୀ ପଞ୍ଚମ ମୁଖ୍ୟମନ୍ତ୍ରୀ। ପୂର୍ବରୁ ୧୯୫୭ରେ ସମ୍ପୂର୍ଣ୍ଣାନନ୍ଦ, ୧୯୬୨ରେ ଚନ୍ଦ୍ରଭାନୁ ଗୁପ୍ତା, ୧୯୭୪ରେ ହେମଓ୍ବତି ନନ୍ଦନ ବହୁଗୁଣା ଏବଂ ୧୯୮୫ରେ ନାରାୟଣ ଦତ୍ତ ତିଓ୍ବାରୀ କ୍ରମାଗତ ଦ୍ୱିତୀୟ ଥର ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାର ୩୭ ବର୍ଷ ପରେ ଯୋଗୀ କ୍ରମାଗତ ଦ୍ୱିତୀୟ ଥର କ୍ଷମତା ହାସଲ କରିବାକୁ ଯାଉଛନ୍ତି।

ୟୁପିରେ ଭାଜପାର ୪ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଯୋଗୀଙ୍କ ପୂର୍ବରୁ କଲ୍ୟାଣ ସିଂ, ରାମପ୍ରକାଶ ଗୁପ୍ତା ଏବଂ ରାଜନାଥ ସିଂ ମୁଖ୍ୟମନ୍ତ୍ରୀ ଥିଲେ। ତେବେ ସେମାନଙ୍କ ମଧ୍ୟରୁ କେହି ଦ୍ୱିତୀୟ ଥର କ୍ଷମତାକୁ ଆସି ନ ଥିଲେ। ଯୋଗୀ ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ଯିଏ ଦ୍ୱିତୀୟ ଥର କ୍ଷମତାକୁ ଆସିଛନ୍ତି। ଦ୍ୱିତୀୟ ଥର ଯୋଗୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ ସେ ୧୫ ବର୍ଷରେ ପ୍ରଥମ ବିଧାୟକ ମୁଖ୍ୟମନ୍ତ୍ରୀ ହେବେ।

ମାୟାବତୀ ୨୦୦୭ରୁ ୨୦୧୨ ମୁଖ୍ୟମନ୍ତ୍ରୀ ଥିବାବେଳେ ବିଧାନ ପରିଷଦ ସଦସ୍ୟ ଥିଲେ। ଅଖିଳେଶ ଯାଦବ ୨୦୧୨ରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ବିଧାନ ପରିଷଦ ସଦସ୍ୟ ରହିଥିଲେ। ତେବେ ଯୋଗୀ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହେବା ବେଳେ ସେ ଲୋକ ସଭା ସଦସ୍ୟ ଥିଲେ ଓ ପରେ ବିଧାନ ପରିଷଦ ସଦସ୍ୟ ହୋଇଥିଲେ। ଉତ୍ତରପ୍ରଦେଶର ୨୧ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ମାତ୍ର ୩ ଜଣ ପୂରା ୫ ବର୍ଷ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଯୋଗୀ ଅନ୍ୟତମ।

Share