Categories: ଜାତୀୟ

ୟୁପିରେ ମିଳିବ ଶସ୍ତା ଖାଦ୍ୟ: ଖୁବ୍‌ଶୀଘ୍ର ଯୋଗୀ ସରକାର ଆରମ୍ଭ କରିବେ ଅନ୍ନପୂର୍ଣ୍ଣା କ୍ୟାଣ୍ଟିନ

ଲକ୍ଷ୍ନୌ,୬।୪: ଉତ୍ତରପ୍ରଦେଶରେ ଲଗାତର ଦ୍ୱିତୀୟ ଥର ପାଇଁ ବିଧାନସଭା ନିର୍ବାଚନରେ ଏକ ଐତିହାସିକ ବିଜୟ ହାସଲ କରିଛି ଭାଜପା। ଏହାପରେ ଭାଜପା ନିଜର ସଂକଳ୍ପ ପତ୍ରରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ଆରମ୍ଭ କରିଦେଇଛି। ଏହିକ୍ରମରେ ୟୁପିରେ ଯୋଗୀ ସରକାର ଗରିବ ଲୋକଙ୍କୁ ଶସ୍ତା ଖାଦ୍ୟ ଯୋଗାଇଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଖୁବ୍‌ଶୀଘ୍ର ରାଜ୍ୟରେ ଖୋଲିବ ଅନ୍ନପୂର୍ଣ୍ଣା କ୍ୟାଣ୍ଟିନ। ସହରାଞ୍ଚଳର ଗରିବ ଲୋକଙ୍କୁ ଶସ୍ତା ଖାଦ୍ୟ ଯୋଗାଇବା ପାଇଁ ଏହି କ୍ୟାଣ୍ଟିନ ଖୋଲାଯାଉଛି। ଯାହାକୁ ନିଜର ସଂକଳ୍ପ ପତ୍ରରେ ଶାସକ ଦଳ ପ୍ରମୁଖ ସ୍ଥାନ ଦେଇଥିଲା। ଏହି କ୍ୟାଣ୍ଟିନ ଖୋଲିବା ପାଇଁ ସମସ୍ତ ଜିଲାର ଜିଲାପାଳଙ୍କୁ ଜମି ଚିହ୍ନଟ କରିବା ଲାଗି କୁହାଯାଇଛି। ଫଳରେ ସହରରେ ଖୁବ୍‌ଶୀଘ୍ର ଅନ୍ନପୂର୍ଣ୍ଣା କ୍ୟାଣ୍ଟିନ ଆରମ୍ଭ କରାଯାଇପାରିବ। ସୂଚନାଯୋଗ୍ୟ, ଅନ୍ନପୂର୍ଣ୍ଣା କ୍ୟାଣ୍ଟିନ କେବଳ ୟୁପି ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟ ଯୋଜନା ଅଧୀନରେ ଆରମ୍ଭ ହେବ। ଅର୍ଥାତ୍‌ ଯୋଗୀ ସରକାର ଏବେ ପ୍ରତ୍ୟେକ ସହରର ଗରିବ ଲୋକଙ୍କୁ ଶସ୍ତା ଖାଦ୍ୟ ଯୋଗାଇଦେବେ। ଏହି ଯୋଜନା ଅଧୀନରେ ଗରିବ ଲୋକଙ୍କୁ ସର୍ବନିମ୍ନ ମୂଲ୍ୟରେ ଯଥା ମାତ୍ର ୧୦ଟଙ୍କାରେ ଖାଦ୍ୟ ଯୋଗାଇଦିଆଯିବ। ଏହାପୂର୍ବରୁ ବିଧାନସଭା ନିର୍ବାଚନ ସମୟରେ ଅଖିଳେଶ ଯାଦବ ଘୋଷଣା କରିଥିଲେ ଯେ, ତାଙ୍କ ମେଣ୍ଟ ସରକାର ଗଠନ ହେବା ପରେ ଗରିବ ଲୋକଙ୍କ ପାଇଁ ଏକ ସମାଜବାଦିି କ୍ୟାଣ୍ଟିନ ଖୋଲାଯିବ।

Share