ଲକ୍ଷ୍ନୌ,୨।୫: ଉତ୍ତର ପ୍ରଦେଶର କ୍ରୀଡ଼ା ମନ୍ତ୍ରୀ ଗିରିଶ ଚନ୍ଦ୍ର ଯାଦବଙ୍କ ସହ ଏକ ଅଜବ ଘଟଣା ଘଟିଛି। ଶୋଇଥିବା ସମୟରେ ତାଙ୍କୁ ମୂଷା କାମୁଡ଼ି ଦେଇଛି। ସାପ କାମୁଡ଼ିବା ସନ୍ଦେହରେ ତାଙ୍କୁ ତୁରନ୍ତ ଜିଲା ଡାକ୍ତରଖାନାକୁ ଅଣାଯାଇଥିଲା। ଏଠାରେ ମୂଷା କାମୁଡ଼ିବା ନିଶ୍ଚିତ ହେବା ପରେ ତାଙ୍କୁ ଡ୍ରେସିଂ କରି ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।
ଜିଲା ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧୀକ୍ଷକ (ସିଏମଏସ) ଡକ୍ଟର ଏସ.ଏନ ମିଶ୍ର କହିଛନ୍ତି, ଦୁଇ ଦିନିଆ ଗସ୍ତରେ ବାନ୍ଦାକୁ ଆସିଥିବା କ୍ରୀଡ଼ା ମନ୍ତ୍ରୀ ଗିରିଶ ଚନ୍ଦ୍ର ଯାଦବ ରବିବାର ରାତିରେ ମାୱାଇ ବାଇପାସ ସର୍କିଟ ହାଉସର ୬ ନମ୍ବର କୋଠରୀରେ ରହିଥିଲେ। ରାତି ପ୍ରାୟ ସାଢେ ତିନିଟା ବେଳେ ତାଙ୍କ ଡାହାଣ ହାତର ଆଙ୍ଗୁଠିକୁ କିଏ କାମୁଡ଼ି ଦେଇଥିଲା। ଚାରିଆଡ଼େ ଜଙ୍ଗଲ ଥିବାରୁ ସାପ ତାଙ୍କୁ କାମୁଡ଼ି ଦେଇଥିଲା ବୋଲି ମନ୍ତ୍ରୀ ସନ୍ଦେହ କରିଥିଲେ। ଏହି ଆତଙ୍କରେ ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା। ମନ୍ତ୍ରୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସାପ ନୁହେଁ, ମୂଷା କାମୁଡିଥିବା ଜଣାପଡିଥିଲା।
ମନ୍ତ୍ରୀ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ସେ ସୋମବାର ସକାଳେ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିଥିବା ଡାକ୍ତରଖାନା ସୁତ୍ରରୁ ପ୍ରକାଶ।