Categories: ଜାତୀୟ

ଯୋଗୀଙ୍କ ସଫଳତାର ରିପୋର୍ଟ କାର୍ଡ, ୫ ବର୍ଷରେ ରାଜ୍ୟରେ ଦଙ୍ଗା ନାହିଁ…

ଲକ୍ଷ୍ନୌ, ୩।୨ : ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାଜପା ସରକାରଙ୍କ ସଫଳତାର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି। ସେ ଗୋଟି ଗୋଟି କରି ସବୁ ସଫଳତା ସମ୍ପର୍କରେ ଆୟୋଜିତ ଏକ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ଦଙ୍ଗା ଘଟି ନାହିଁ। ମାତ୍ର ଏସ୍‌ପି ସରକାରଙ୍କ ସମୟରେ ରାଜ୍ୟରେ ୭୦୦ରୁ ଅଧିକ ଦଙ୍ଗା ହୋଇଛି। ସେହିପରି ବିଏସ୍‌ପି ସରକାରଙ୍କ ସମୟରେ ୩୬୪ ଦଙ୍ଗା ହୋଇଛି। କିନ୍ତୁ ଭାଜପା ଶାସନରେ ଶାନ୍ତି ଶୃଙ୍ଖଳା ବଜାୟ ରହିଥିବା ଯୋଗୀ କହିଛନ୍ତି।

ପୂର୍ବରୁ ରାଜ୍ୟର ଅର୍ଥବ୍ୟବସ୍ଥା ଦେଶରେ ୬-୭ ସ୍ଥାନରେ ରହୁଥିବାବେଳେ ଏବେ ଦ୍ୱିତୀୟ ସ୍ଥାନରେ ରହିଛି। ରାଜ୍ୟରେ ପୋଲିସ ବିଭାଗରେ ୩ ଗୁଣା ମହିଳା କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟର ମୁଣ୍ଡପିଛା ଆୟ ବାର୍ଷିକ ୪୫ ହଜାରରୁ ବୃଦ୍ଧି ପାଇ ୯୪ ହଜାର ଛୁଇଁଛି। ସେହିପରି ରାଜ୍ୟ ବଜେଟ ୨ ଲକ୍ଷ କୋଟିରୁ ୬ ଲକ୍ଷ କୋଟିରେ ପହଞ୍ଚିଛି।

କରୋନା ମହାମାରୀ ସମୟରେ ୪୦ ଲକ୍ଷ ପ୍ରବାସୀ ଶ୍ରମିକ ଘରକୁ ଫେରିଛନ୍ତି। ସେମାନଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ କରାଯାଇଥିବା ଯୋଗୀ କହିଛନ୍ତି। ରାଜ୍ୟରେ କରୋନା ମହାମାରୀ ଲଢ଼େଇ ଅନ୍ତର୍ଗତ ୫୫୧ରୁ ଅଧିକ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ସ୍ଥାପନ କରାଯାଇଛି।

Share