କିଶୋର କୁମାରଙ୍କ ତୃତୀୟ ସ୍ତ୍ରୀଙ୍କୁ ବିବାହ କରିଥିଲେ ଏହି ଅଭିନେତା

ଆଜି ବଲିଉଡ୍‌ ଅଭିନେତ୍ରୀ ଯୋଗିତା ଓ୍ବାଲିଙ୍କ ଜନ୍ମଦିନ। ସେ ୧୯୫୨, ଅଗଷ୍ଟ ୧୩ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅଧିକ ଚର୍ଚ୍ଚାରେ ରହିଥା’ନ୍ତି। ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କିତ କିଛି କଥା।
ଯୋଗିତା କିଶୋର କୁମାରଙ୍କୁ ବିବାହ କରିଥିଲେ। କିଶୋର କୁମାର ଜଣେ ଖ୍ୟାତନାମା ଗାୟକ ତଥା ଅଭିନେତା ଥିଲେ, ଯାହାଙ୍କୁ ଆଜିର ଯୁବପିଢ଼ି ମଧ୍ୟ ପସନ୍ଦ କରନ୍ତି। ଯୋଗିତା କିଶୋରଙ୍କ ତିନି ନମ୍ବର ସ୍ତ୍ରୀ ହୋଇଥିବା ବେଳେ ସେ ତାଙ୍କ ଜୀବନରେ ୪ ଥର ବିବାହ କରିଥିଲେ। ଫିଲ୍ମ ‘ଯାମୁନା କେ ତୀର’ରେ ପ୍ରଥମ ଥର ପାଇଁ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। କିଶୋର କୁମାରଙ୍କ ଦ୍ୱିତୀୟ ସ୍ତ୍ରୀ ମଧୁବାଲାଙ୍କ ଦେହାନ୍ତ ପରେ ସେ ଏକୁଟିଆ ହୋଇ ଯାଇଥିଲେ। ଫିଲ୍ମ ରିଲିଜ୍‌ ହୋଇ ନ ଥିଲେ ମଧ୍ୟ ଶୁଟିଂ ସେଟ୍‌ରେ ଉଭୟଙ୍କ ଘନିଷ୍ଠତା ବଢ଼ିଥିଲା। ପରେ ଉଭୟ ପରିବାର ବିରୋଧରେ ଯାଇ ୧୯୭୬ରେ ବିବାହ କରିଥିଲେ। ହେଲେ ସେମାନଙ୍କ ସମ୍ପର୍କ ଅଧିକ ତିଷ୍ଠି ପାରିଲା ନାହିଁ। ସେମାନେ ମାତ୍ର ଦୁଇ ବର୍ଷ ମଧ୍ୟରେ ବିଚ୍ଛେଦ ହୋଇଯାଇଥିଲେ।
ତେବେ କୁହାଯାଏ, ଯୋଗିତା କିଶୋରଙ୍କୁ ବିବାହ କରିବା ପରେ ତାଙ୍କ ଜୀବନରେ ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରବେଶ ହୋଇଥିଲା। ମିଥୁନଙ୍କ ପାଇଁ ସେ କିଶୋର କୁମାରଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ମିଥୁନ ଏବଂ ଯୋଗିତା ଫିଲ୍ମ ‘ଖ୍ବାବ’ରେ ଏକାଠି କାମ କରିଥିଲେ ଏବଂ ଏକାଠି କାମ କରିବା ଭିତରେ ପରସ୍ପରକୁ ହୃଦୟ ଦେଇ ବସିଥିଲେ। କିଶୋର କୁମାରଙ୍କୁ ଛାଡ଼ପତ୍ର ଦେବାର ଏକ ବର୍ଷ ପରେ ଯୋଗିତା ମିଥୁନଙ୍କ ହାତ ଧରିଥିଲେ। ପରେ ଦୁହେଁ ୧୯୭୯ ମସିହାରେ ବିବାହ କରିଥିଲେ।

 

Share