ପ୍ରାୟଶ୍ଚିତ୍ତ ଦିବସ ୟୋମ୍‌ କିପ୍ପୁର

ଜେରୁଜେଲମ, ୪ା୧୦:ୟୋମ୍‌ କପ୍ପୁର ହେଉଛି ଇହୁଦୀମାନଙ୍କ ପ୍ରାୟଶ୍ଚିତ୍ତର ଦିନ। ହେବୁ୍ର୍ୟ କ୍ୟାଲେଣ୍ଡର ଅନୁସାରେ, ଚଳିତ ବର୍ଷ ଏହା ଅକ୍ଟୋବର ୪ ସନ୍ଧ୍ୟାରେ ଆରମ୍ଭ ହୋଇ ୫ ସନ୍ଧ୍ୟାରେ ଶେଷ ହେବ। ଏହି ୨୫ ଘଣ୍ଟା ମଧ୍ୟରେ ଇହୁଦୀ ଧର୍ମାବଲମ୍ବୀ ଉପବାସ କରି ପ୍ରାର୍ଥନା କରନ୍ତି। ଏହି ପବିତ୍ର ଦିନକୁ ଅନେକ ନୀତିନିୟମ ଓ କଟକଣା ସହ ପାଳନ କରାଯାଇଥାଏ।
ଛୁଟି ଦିନ ୟୋମ୍‌ କିପ୍ପୁରର ଏକ ସମୃଦ୍ଧ ଇତିହାସ ରହିଛି। ଅନେକ ହଜାର ବର୍ଷ ଧରି ପ୍ରଚଳିତ ଧର୍ମୀୟ ପ୍ରତୀକ, ଉତ୍ତରଦାୟିତ୍ୱ, ପ୍ରଥା, ପରମ୍ପରା ଆଦିକୁ ଏହି ଧର୍ମର ଲୋକେ ଅନୁସରଣ କରିଆସିଛନ୍ତି। ଏଥିଲାଗି ୟୋମ୍‌ କିପ୍ପୁର ଅନ୍ୟ ଛୁଟିଦିନଗୁଡ଼ିକଠାରୁ ଭିନ୍ନ ଓ ଅନନ୍ୟ। ଖ୍ରୀଷ୍ଟିଆନ୍‌ମାନଙ୍କ ପବିତ୍ର ଧର୍ମଗ୍ରନ୍ଥ ବାଇବେଲ୍‌ରେ ୟୋମ୍‌ କିପ୍ପୁରର ଉପବାସ କଥା ବର୍ଣ୍ଣିତ। ଓଲ୍ଡ ଟେଷ୍ଟାମେନ୍‌ର ବୁକ୍‌ ଅଫ୍‌ ଲେଭିଟିକସ୍‌ରେ ଏହାକୁ ଏକ ଶୁଦ୍ଧୀକରଣ ଦିବସ ଆଖ୍ୟା ଦିଆଯାଇଛି, ଯହିଁରେ ଏହି ଦିନ ଇହୁଦୀମାନେ ସେମାନଙ୍କ ପାପ ପାଇଁ କ୍ଷମା ପ୍ରାର୍ଥନା କରନ୍ତି। ନିଜ ଅନ୍ତଃକରଣକୁ ଶୁଦ୍ଧ କରି ଭଗବାନଙ୍କ ନିକଟରେ ଶରଣାପନ୍ନ ହୁଅନ୍ତି ବୋଲି ଉଲ୍ଲେଖ କରାଯାଇଛି। ଉପବାସ ଓ ଅନ୍ୟ ନିୟମଗୁଡ଼ିକରୁ ଅସୁସ୍ଥ, ରୁଗ୍‌ଣ ବ୍ୟକ୍ତିଙ୍କୁ ବାଦ୍‌ ରଖାଯାଇଥାଏ। ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ କୌଣସି ସ୍ପଷ୍ଟ ବିଧାନ ନାହିଁ। କେତେଜଣଙ୍କ ମତରେ ଏହିଦିନ ଗର୍ଭବତୀ ମହିଳା ଉପବାସ କରିବା କଥା। ତେବେ ସେମାନେ ସ୍ବଳ୍ପ ଆହାର ଗ୍ରହଣ କରିପାରିବେ ବୋଲି ଆଉ କେତେକେ ପରାମର୍ଶ ଦିଅନ୍ତି। ତେବେ ଏହାର ସାଂସ୍କୃତିକ ମହତ୍ତ୍ୱ ବାଇବେଲ୍‌ ଉପାଖ୍ୟାନରୁ ଊର୍ଦ୍ଧ୍ୱଗାମୀ ହୋଇ ଆହୁରି ଅନେକ କଥା କହିଥାଏ। ଇସ୍ରାଏଲ ସଂସ୍କୃତିରେ ଯୀଶୁଖ୍ରୀଷ୍ଟଙ୍କ ଆବିର୍ଭାବର ବହୁ ପୂର୍ବରୁ ୟୋମ୍‌ କିପ୍ପୁର ପାଳିତ ହେଉଥିବା ଜଣାଯାଏ। ଏହିଦିନ ଧର୍ମନିରପେକ୍ଷ ଇସ୍ରାଏଲୀମାନେ ସାରା ଦେଶରେ ବାଇକ୍‌ ଚଳାଇବାକୁ ଭଲପାଆନ୍ତି। ଦୋକାନ ବଜାର, ସ୍କୁଲ କଲେଜ ସବୁକିଛି ବନ୍ଦ ରହିଥାଏ। ପରସ୍ପରକୁ ଅଭିନନ୍ଦନ ଜଣାଇ ଖୁସି ମନାଇବା ଏହି ଦିନର ଆଉ ଏକ ବୈଶିଷ୍ଟ୍ୟ।

Share