Categories: ଜାତୀୟ

୬୫ ଘଣ୍ଟା ମଧ୍ୟରେ ୨୦ ମିଟିଂ କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ଶେଷ କରି ରବିବାର ଭାରତ ଫେରିଛନ୍ତି। ୨୨ ସେପ୍ଟେମ୍ବରରେ ଆମେରିକା ଗସ୍ତରେ ବାହାରିବା ପରେ ପ୍ରଧାନମନ୍ତ୍ରୀ ପ୍ରାୟ ୯୦ ଘଣ୍ଟା ମଧ୍ୟରେ ତାଙ୍କର ଯାତ୍ରା ଶେଷ କରିଥିଲେ। ପ୍ରଧାନମନ୍ତ୍ରୀ ଆମେରିକାରେ ୬୫ ଘଣ୍ଟା ବିତାଇଥିଲେ। ଏହି ୬୫ ଘଣ୍ଟିଆ ଗସ୍ତରେ ମୋଦି ୨୦ଟି ମିଟିଂରେ ଭାଗ ନେଇଥିଲେ। କେବଳ ଏତିକି ନୁହେଁ, ମୋଦି ଯିବା ଏବଂ ଆସିବା ସମୟରେ ବିମାନରେ ଦୁଇ ଦୁଇଟି ମିଟିଂ କରିଥିଲେ। ଅର୍ଥାତ୍‌ ବିମାନରେ ସେ ଅଧିକାରୀଙ୍କ ସହ ଚାରିଥର ମିଟିଂ କରିଥିଲେ। ଏହି ପରିପ୍ରେକ୍ଷୀରେ, ସେ ଭାରତ ଛାଡିବା ଠାରୁ ଫେରିବା ପର୍ଯ୍ୟନ୍ତ ମୋଦି ୨୪ଟି ମିଟିଂ କରିଥିଲେ।
ସୂଚନାଯୋଗ୍ୟ, ଆମେରିକା ଯିବାବେଳେ ମୋଦି ବିମାନରେ ଦୁଇଟି ମିଟିଂ କରିଥିଲେ ଏବଂ ସେଠାରେ ପହଞ୍ଚିବା ପରେ ହୋଟେଲରେ ୩ଟି ମିଟିଂ କରିଥିଲେ। ୨୩ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଆମେରିକୀୟ କମ୍ପାନୀର ସିଇଓଙ୍କ ସହ ୫ଟି ମିଟିଂ କରିଥିଲେ। ଏହା ପରେ ସେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ମଧ୍ୟ ଭେଟିଥିଲେ। ସେ ଜାପାନର ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା ଏବଂ ଅଷ୍ଟ୍ରେଲିଆର ସ୍କଟ ମୋରିସନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ମଧ୍ୟ ଭାଗ ନେଇଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ୩ଟି ଆଭ୍ୟନ୍ତରୀଣ ବୈଠକର ଅଧ୍ୟକ୍ଷତା କରିଥିଲେ। ପରଦିନ ପ୍ରଧାନମନ୍ତ୍ରୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଏହା ପରେ ସେ କ୍ୱାଡର ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମ୍ମିଳନୀ ପରେ ସେ ଚାରିଟି ଆଭ୍ୟନ୍ତରୀଣ ବୈଠକ ମଧ୍ୟ କରିଥିଲେ। ସୂଚନାନୁସାରେ, ସେପ୍ଟେମ୍ବର ୨୫ରେ ଆମେରିକାରୁ ଭାରତ ଯିବା ସମୟରେ ପ୍ରଧାନମନ୍ତ୍ରୀ ବିମାନରେ ଥିବା ଅଧିକାରୀଙ୍କ ସହ ଆଉ ଦୁଇଟି ମିଟିଂ କରିଥିଲେ।

Share