Categories: ଜାତୀୟ

‘ଆପଣମାନେ ମୋ ପରିବାର, ଆପଣଙ୍କ ସ୍ବପ୍ନ ପୂରା କରିବା ମୋର ସଂକଳ୍ପ’

ନୂୂଆଦିଲ୍ଲୀ,୨୫ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ପ୍ରଭୁ ରାମଙ୍କ ନାମ ନେଇଛନ୍ତି। ବୁଲନ୍ଦସହରରେ ୧୯ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ମୂଳଦୁଆ ପକାଇବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ରାମଙ୍କ ସହ ରାଷ୍ଟ୍ର ନିର୍ମାଣର ରାସ୍ତା ଖୋଲିବାକୁ ପଡ଼ିବ। ଏକ ବିକଶିତ ଭାରତ ପାଇଁ ସେ ସଂକଳ୍ପକୁ ପୁଣି ଥରେ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନେ ମୋ’ ପରିବାର। ଆପଣଙ୍କ ସ୍ବପ୍ନ ପୂରଣ କରିବା ମୋର ସଂକଳ୍ପ। ଏହା ବ୍ୟତୀତ  ୨୦୨୪ରେ ଭାଜପା ବିପୁଳ ବିଜୟ ଲାଭ କରିବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଜୀବନରେ ଆପଣମାନଙ୍କର ଭଲପାଇବା ଏବଂ ବିଶ୍ୱାସ ପାଇବା ଅପେକ୍ଷା କ’ଣ ଅଧିକ ଭାଗ୍ୟ ହୋଇପାରେ। ମୁଁ ଆପଣମାନଙ୍କ ଭଲପାଇବାରେ ଏତେ ଖୁସି ଯେ, ଏତେ ସଂଖ୍ୟକ ମା-ଭଉଣୀ ଏଠି ଉପସ୍ଥିତ ଅଛନ୍ତି। ଏହି ସମୟ ସବୁ ମାତାପିତାଙ୍କ ପାଇଁ ବ୍ୟସ୍ତବହୁଳ ସମୟ। ମାତ୍ର ସବୁକିଛି ଛାଡ଼ି ମୋତେ ଆଶୀର୍ବାଦ ଦେବା ପାଇଁ ଏତେ ସଂଖ୍ୟାରେ ଆସିଛନ୍ତି। ସମସ୍ତ ମାତାପିତାଙ୍କୁ ମୋର ବିଶେଷ ଶୁଭେଚ୍ଛା।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭଗବାନ ଶ୍ରୀ ରାମଙ୍କୁ ୨୨ ତାରିଖରେ ଅଯୋଧ୍ୟା ଧାମରେ ଦେଖିବାକୁ ମିଳିଥିଲା ଏବଂ ଆଜି ମୁଁ ଜନତା ଜନାର୍ଦ୍ଦନଙ୍କୁ ଏଠାରେ ଦେଖିବାର ସୌଭାଗ୍ୟ ପାଇଛି। ପଶ୍ଚିମ ୟୁପି ବିକାଶ ପାଇଁ ୧୯ ହଜାର କୋଟିରୁ ଅଧିକ ପ୍ରକଳ୍ପ ଗ୍ରହଣ କରିଛି। ଏହି ପ୍ରକଳ୍ପଗୁଡିକ ରେଳ ଲାଇନ, ରାଜପଥ, ପେଟ୍ରୋଲିୟମ ପାଇପ୍‌ଲାଇନ୍‌, ଜଳ, ସ୍ବରେଜ, ମେଡିକାଲ କଲେଜ ଏବଂ ଶିଳ୍ପ ସହର ସହିତ ସଂଯୁକ୍ତ।

Share