‘ଯେଉଁଠି ଥିଲେ ଟିକା ନେଇପାରିବେ’

ଭୁବନେଶ୍ୱର, ୨୧।୧(ବ୍ୟୁରୋ):ଗୋଟିଏ ଜାଗାରେ ଡାଟାବେସ୍‌ ଥିବାବେଳେ ରେଜିଷ୍ଟ୍ରେଶନ ଅନ୍ୟତ୍ର କରିଥିବା ବ୍ୟକ୍ତି ଟିକାଦାନରୁ ବଞ୍ଚତ୍ତ ହେବେ ନାହିଁ। ପ୍ରଥମ ଡୋଜ୍‌ ଟିକା ନେବା ପରେ ଯଦି ପରବର୍ତ୍ତୀ ସମୟରେ ତାଙ୍କର ଅନ୍ୟ ସ୍ଥାନକୁ ବଦଳି ହୋଇଛି କିମ୍ବା ଅନ୍ୟ ସ୍ଥାନକୁ ଆସିଛନ୍ତି ସେଠି ଦ୍ୱିତୀୟ ଡୋଜ୍‌ ନେଇପାରିବେ। ସେମାନଙ୍କୁ ଟିକାଦାନ ନିମନ୍ତେ ବ୍ୟବସ୍ଥା କରାଯାଇଛି ବୋଲି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ଟିକାକରଣ ସୁରୁଖୁରୁରେ ଚାଲିଛି। ଯେଉଁମାନଙ୍କୁ ଟିକା ଦିଆଯାଇ ନାହିଁ ସେମାନଙ୍କୁ ପୁଣିଥରେ ଟିକା ଦେବାର ବ୍ୟବସ୍ଥା ହେବ। ସେପଟେ ଚତୁର୍ଥ ଦିନରେ ରାଜ୍ୟରେ ୯୩ଟି ସେସନରେ ୭,୯୪୬ଜଣ ହିତାଧିକାରୀ ଟିକା ନେଇଛନ୍ତି। ଏହି ଦିନରେ ମୋଟ୍‌ ୮,୮୯୪ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ୮୯% ଟିକାକରଣ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଭୁବନେଶ୍ୱରରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଅର୍ଥାତ୍‌ ୧୧୮% ଟିକା ନେଇଛନ୍ତି। ୧୭ ସେସନରେ ୧,୪୧୬ଜଣ ଟିକା ନେବାକୁ ଥିବାବେଳେ ୧,୬୭୪ଜଣଙ୍କୁ ଦିଆଯାଇଥିବା ସ୍ବାସ୍ଥ୍ୟ ବିଭାଗ କହିଛି।

Share