Categories: ଜାତୀୟ

ଇଣ୍ଡିଆ-ଭାରତ ବିବାଦ: ‘ଇଣ୍ଡିଆ’ ଶଦ୍ଦ ଭଲ ନ ଲାଗୁଥିଲେ ‘ହିନ୍ଦୁ’ ଶଦ୍ଦକୁ ବି କରନ୍ତୁନି ବ୍ୟବହାର, ଭାଜପାକୁ କଟାକ୍ଷ କଲେ ଥରୁର

ନୂଆଦିଲ୍ଲୀ,୭।୧୦: ଇଣ୍ଡିଆ-ଭାରତକୁ ନେଇ ବିବାଦ ମଧ୍ୟରେ କଂଗ୍ରେସ ସାଂସଦ ତଥା ବରିଷ୍ଠ ନେତା ଶଶି ଥରୁର ଭାଜପାକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଯେଉଁମାନେ ଇଣ୍ଡିଆ ଶବ୍ଦକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, କିନ୍ତୁ ନିଜକୁ ହିନ୍ଦୁ ବୋଲି କହିବାକୁ ପଛଘୁଞ୍ଚା ଦେଉ ନାହାନ୍ତି। ଯଦି ଇଣ୍ଡିଆ ଶବ୍ଦ ବ୍ୟବହାର କରିବାକୁ ଚାହୁଁନାହାଁନ୍ତି, ତେବେ ଆପଣ ହିନ୍ଦୁ ଶବ୍ଦକୁ ମଧ୍ୟ ବ୍ୟବହାର କରିପାରିବେ ନାହିଁ। କାରଣ ଉଭୟ ଇଣ୍ଡିଆ ଓ ହିନ୍ଦୁ ଶବ୍ଦର ଉତ୍ପତ୍ତି ଉତ୍ସ ସମାନ, ଯାହା ସିନ୍ଧୁ ନଦୀରୁ ଆସିଛି।

ଥରୁର ତାଙ୍କର ନୂଆ ବହି ‘ହ୍ବାଏ ଆଇ ଆମ ହିନ୍ଦୁ’(ମୁଁ କାହିଁକି ହିନ୍ଦୁ)ର କନ୍ନଡ ସଂସ୍କରଣ ଲୋକର୍ପଣ ସମୟରେ ଥରୁର କହିଛନ୍ତି, ଉଭୟ ଶବ୍ଦ ବିଦେଶୀମାନେ ଦେଇଛନ୍ତିି। ଏହି ଶବ୍ଦଗୁଡ଼ିକ ଏକ ଅଞ୍ଚଳ କିମ୍ବା ଲୋକଙ୍କୁ ଚିହ୍ନିବା ପାଇଁ ଉଦ୍ଦିଷ୍ଟ ଯାହା ସିନ୍ଧୁ ବା ଇଣ୍ଡସ ନଦୀ ପାର୍ଶ୍ୱରେ ଅବସ୍ଥିତ ଥିଲା। ଏ ପ୍ରସଙ୍ଗରେ ଥରୁର ଆହୁରି କହିଛନ୍ତି, ମୁଁ ଏହାକୁ ବିରୋଧ କରୁଛି। ଯେତେବେଳେ ମୁଁ ଶାସକ ଦଳର କିଛି ଲୋକଙ୍କୁ ଇଣ୍ଡିଆ ଶବ୍ଦର ବ୍ୟବହାରକୁ ବିରୋଧ କରୁଥିବାର ଦେଖେ, କିନ୍ତୁ ସେହି ଲୋକମାନେ ନିଜକୁ ହିନ୍ଦୁ କହି ଗର୍ବ ଅନୁଭବ କରନ୍ତି। କୌତୁହଳର ବିଷୟ ଯେ ହିନ୍ଦୁ ଶବ୍ଦର ଅଂଶ ସେମାନଙ୍କ ଦ୍ୱାରା କିମ୍ବା ସେମାନଙ୍କ ଭାଷାରେ ଉଦ୍ଭାଷିତ ହୋଇନାହିଁ, ବରଂ ବିଦେଶୀମାନେ ଏହି ଶବ୍ଦ ଦେଇଛନ୍ତି ଆଉ ଏହାକୁ ସେମାନେ ଖୁସିରେ ଗ୍ରହଣ ମଧ୍ୟ କରିଛନ୍ତି।

Share