Categories: Uncategorized

ମୁହଁ ନ ଖୋଲି ବି କରିହେବ କଥାବାର୍ତ୍ତା

ବେଳେବେଳେ ଏମିତି ପରିସ୍ଥିତି ଆସେ ଯେ, ଆପଣ ଜଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଚାହୁଁଥିବେ, ହେଲେ ପାଖରେ ଅନ୍ୟ ଲୋକ ଥିବାରୁ କହିପାରୁ ନ ଥିବେ। ଏମିତିରେ ଭାରି ବ୍ୟସ୍ତ ଲାଗେ। କଥା ଜରୁରୀ ହୋଇଥିଲେ ବି କହି ହେବ ନାହିଁ। ଏଭଳି ସ୍ଥିତିକୁ ନଜରରେ ରଖି ମାସାଚୁସିଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନଲୋଜିର ଜଣେ ଅନୁସନ୍ଧାନକର୍ତ୍ତା ତିଆରି କରିଛନ୍ତି ଏଭଳି ଏକ ଡିଭାଇସ୍‌ ଯେଉଁଥିରେ ଆପଣ ପାଟି ନ ଖୋଲି ଅନ୍ୟ ଜଣଙ୍କ ସହ କଥା ହୋଇପାରିବେ। ଅର୍ଥାତ୍‌ ଏହି ଡିଭାଇସ୍‌ ଦ୍ୱାରା ପାଖପାଖି ଦୁଇଜଣ ବ୍ୟକ୍ତିଙ୍କ ମନର କଥାକୁ ଉଭୟେ ଜାଣିପାରିବେ। ଏହି ମେସିନ ମସ୍ତିସ୍କ ପଢି ନ ଥାଏ ବରଂ ସବ୍‌ଭୋକାଲାଇଜେସନ୍‌ ଆଧାରରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ବାର୍ତ୍ତା ସଂଚାର କରିବ। ସାଧାରଣତଃ ଆମେ ଯେତେବେଳେ କୌଣସି ଶବ୍ଦକୁ ମସ୍ତିସ୍କରେ ଭାବୁ ସେହି ସମୟରେ ଆମ ପାଟିରେ ବହୁତ ଛୋଟ ଓ ଅଦୃଶ୍ୟ ମୁଭମେଣ୍ଟ ହୋଇଥାଏ। ଯାହାକୁ ସବ୍‌ଭୋକାଲାଇଜେସନ୍‌ କୁହାଯାଏ। ଅର୍ଥାତ୍‌ ଯଦି କେହି ମନ ଭିତରେ ବା ଆନ୍ତରିକଭାବେ କୌଣସି ଶବ୍ଦ କହିବାକୁ ଚେଷ୍ଟା କରନ୍ତି ସେତେବେଳେ ଚେହେରାର ତଳଭାଗ ଏବଂ ବେକର ତ୍ୱଚାରେ ଯେଉଁ ବୈଦ୍ୟୁତିକ ତରଙ୍ଗ ସୃଷ୍ଟି ହୁଏ ତାକୁ ଉକ୍ତ ହେଡସେଟ୍‌ ପରି ପିନ୍ଧାଯାଉଥିବା ଯନ୍ତ୍ର ମାଧ୍ୟମରେ ପଢି ହେବ। ଆଉ ଜାଣିହେବ ଶବ୍ଦଟି କଣ। ଏହି ଯନ୍ତ୍ରର ନାମ ହେଉଛି ‘ଅଲ୍ଟରଇଗୋ’।