Categories: ଜାତୀୟ

ଦ୍ୱିତୀୟ ଡୋଜ୍‌ ଟିକା ନେବାର ୨୮ ଦିନ ପର୍ଯ୍ୟନ୍ତ କରିପାରିବେନି ରକ୍ତଦାନ

ନୂଆଦିଲ୍ଲୀ,୨୨।୩: କୋଭିଡ୍‌ ଟିକାର ଦ୍ୱିତୀୟ ଡୋଜ୍‌ ନେବାର ପରବର୍ତ୍ତୀ ୨୮ ଦିନ ମଧ୍ୟରେ ଜଣେ ରକ୍ତଦାନ କରିପାରିବେ ନାହିଁ। ନ୍ୟାଶନାଲ ବ୍ଲଡ୍‌ ଟ୍ରାନ୍ସଫ୍ୟୁଜନ କାଉନସିଲ(ଏନ୍‌ବିଟିସି) ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଏହା କୁହାଯାଇଛି। ଏନ୍‌ବିଟିସି ଗଭର୍ନିଂ ବଡ଼ି ବୈଠକରେ କୋଭିଡ୍‌ ଟିକା ପରବର୍ତ୍ତୀ ରକ୍ତଦାନ ସମ୍ପର୍କରେ ଏହି ନିଷ୍ପତ୍ତି ନିଆଯାଇଛି। ନିର୍ଦ୍ଦେଶନାମା ଅନୁଯାୟୀ ଜଣେ ରକ୍ତଦାନ କରିବାକୁ ଚାହୁଁଥିଲେ, କୋଭିଡ୍‌ ଟିକାର ଶେଷ ଡୋଜ୍‌ ନେବା ପରେ ୨୮ ଦିନ ଅପେକ୍ଷା କରିବାକୁ ପଡ଼ିବ ଅର୍ଥାତ୍‌ ପ୍ରଥମ ଡୋଜ୍‌ଠାରୁ ୫୬ ଦିନ ପର୍ଯ୍ୟନ୍ତ ଜଣେ ରକ୍ତଦାନ କରିପାରିବ ନାହିଁ। ଏନ୍‌ବିଟିସି ନିର୍ଦ୍ଦେଶକ ଡ. ସୁନୀଲ ଗୁପ୍ତା ଏହି ନିର୍ଦ୍ଦେଶ ଜାରି କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କୋଭିଡ୍‌ ଟିକାକରଣ ଗାଇଡ୍‌ଲାଇନ ଅନୁଯାୟୀ କରୋନା ଭୂତାଣୁ ବିରୋଧରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ପାଇଁ ଭାକ୍ସିନର ଦୁଇଟି ଡୋଜ୍‌ ୨୮ ଦିନ ଅନ୍ତରରେ ନେବାକୁ ହେବ। ଦ୍ୱିତୀୟ ଡୋଜ୍‌ ଟିକା ନେବାର ଦୁଇ ସପ୍ତାହ ପରେ ସାଧାରଣତଃ ଶରୀରରେ ଆଣ୍ଟିବଡ଼ିର ବିକାଶ ହୋଇଥାଏ। ଜାନୁୟାରୀ ୧୬ରୁ ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା।

Share