Advertisement

ବିରୋଧୀଙ୍କ ଉପରେ ବର୍ଷିଲେ ବାବୁଲ ସୁପ୍ରିଓ; କହିଲେ ମୁଁ ସବୁକିଛି ହୋଇପାରେ,ହେଲେ…

କୋଲକାତା,୬।୪: ତ୍ରୁଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ବାବୁଲ ସୁପ୍ରିୟୋଙ୍କୁ ଜଣେ ଦଳବଦଳକାରୀ ନେତା ବୋଲି ବିରୋଧୀ ଅଭିଯୋଗ ଆଣିଥିଲେ। ବୁଧବାର ଏହି ଉକ୍ତିର ଜବାବ ରଖି ‘ମୁଁ ସବୁ କିଛି ହୋଇପାରେ। କିନ୍ତୁ ମୁଁ ଦଳବଦଳକାରୀ ନୁହେଁ’ ବୋଲି ବାବୁଲ କହିଛନ୍ତି।

ପୂର୍ବରୁ କେନ୍ଦ୍ରର ଭାଜପା ସରକାରରେ ବାବୁଲ ମନ୍ତ୍ରୀ ଥିଲେ। ପରେ ଗତ ସେପ୍ଟେମ୍ବର ମାସରେ ନୂଆ ମନ୍ତ୍ରିମଣ୍ଡଳରେ ତାଙ୍କୁ ବାଦ ଦିଆଯାଇଥିଲା। ନରେନ୍ଦ୍ର ମୋଦି କ୍ୟାବିନେଟ୍‌ରୁ ବାହାରିବାର କିଛି ମାସ ପରେ ବାବୁଲ ଭାଜପା ଛାଡ଼ି ଟିଏମ୍‌ସିରେ ଯୋଗ ଦେଇଥିଲେ। ସେ ଏବେ କୋଲକାତାର ବାଲିଗଞ୍ଜ ବିଧାନସଭା ଆସନରୁ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି।
ବାବୁଲଙ୍କୁ ଜଣେ ଦଳବଦଳକାରୀ ନେତା ବୋଲି ବିରୋଧୀ ଅଭିଯୋଗ ଆଣିବା ପରେ ସେ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ ଭାଜପା ଛାଡ଼ିଥିଲି ଏବଂ ଏମ୍‌ପି ପଦ ମଧ୍ୟ ଛାଡ଼ିଥିଲି। ଭାଜପା ଛାଡ଼ିବା ପରେ ମୁଁ ଟିଏମ୍‌ସିରେ ଯୋଗ ଦେଇଛି। ଏଣୁ ଆପଣ ମୋତେ ଦଳବଦଳ କରୁଥିବା ରାଜନେତା କହିପାରିବ ନାହିଁ। ମୁଁ ଯେତେବେଳେ ରାଜନୀତି ଛାଡ଼ିଥିଲି ଭାଜପା ଅଧ୍ୟକ୍ଷ ଜେ ପି ନଡ୍ଡା ମୋତେ ଦଳରେ ଏକ ପଦବୀ ଅଫର ଦେଇଥିଲେ। କିନ୍ତୁ ତାଙ୍କ ପ୍ରସ୍ତାବକୁ ମୁଁ ପ୍ରତ୍ୟାଖ୍ୟାନ କରିଥିଲି। ମୁଁ ଭାଜପାରେ ଆଉ ରହିବାକୁ ଚାହୁଁ ନ ଥିବା କହିଥିଲି ବୋଲି ବାବୁଲ କହିଛନ୍ତି ।

ବାଲିଗୁଞ୍ଜ ବ୍ୟତୀତ ଆସନସୋଲରେ ଖାଲିଥିବା ଲୋକ ସଭା ଆସନ ଲାଗି ଉପନିର୍ବାଚନ ହେବ। ଏହି ଆସନସୋଲ ଆସନରୁ ବାବୁଲ ଏମପି ଥିଲେ। ତେବେ ସେଇ ଆସନରୁ ଶତ୍ରୁଘ୍ନ ସିହ୍ନା ଟିଏମସିରୁ ଏମପି ପ୍ରାର୍ଥୀ ହୋଇଛନ୍ତି। ଏହାକୁ ନେଇ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ଆସନସୋଲରେ ଭାଜପା ପକ୍ଷରୁ ଟିଏମ୍‌ସି ପ୍ରାର୍ଥୀଙ୍କ ବିରୋଧରେ ବାବୁଲଙ୍କ ଗୀତକୁ ବଜାଯାଉଛି। ଏହାକୁ ନେଇ ମଧ୍ୟ ବାବୁଲ ଖପ୍ପା ହୋଇଛନ୍ତି। ଭାଜପାରେ ପ୍ରତିଭାର ଅଭାବ ନାହିଁ। ସେ ଦଳ ଛାଡ଼ିଥିବା ବେଳେ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ଏଭଳି ସ୍ଥିତିରେ କାହିଁକି ତାଙ୍କ ଗୀତକୁ ଭାଜପା ବ୍ୟବହାର କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share