ଯାହା ପଢ଼ିବାକୁ ଦେବୁ ତାହା ନ ପଢ଼ିିଲେ ବିଧାୟକଙ୍କ ହାତଧରି ମଞ୍ଚରୁ ଓହ୍ଲାଇ ଦେବୁ: କାହିଁକି ଏମିତି କହିଲେ…

ମଙ୍ଗଳବାର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ କୋରାପୁଟ ଜିଲା ଜୟପୁର ସହରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଭାଷଣକୁ ନେଇ ଭାଜପାର ପୂର୍ବତନ ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟ ଓ କେତେଜଣ କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଧାୟକ ବାହିନୀପତି ତାଙ୍କ ଭାଷଣରେ କହିଥିଲେ, ନିର୍ବାଚନ ପୂର୍ବରୁ ଓଡ଼ିଶାର ସମସ୍ତ ମହିଳାଙ୍କୁ ୫୦ ହଜାର ଟଙ୍କା ଦେବାକୁ ଭାଜପା ଇସ୍ତାହାରରେ କହିଥିଲା। କିନ୍ତୁ ନିର୍ବାଚନ ସରିଗଲା ପରେ ସରକାର ଯେଉଁ ଇସ୍ତାହାର ଦେଇଥିଲେ ସେହି ଆଧାରରେ ତାହା ପୂରଣ କରିପାରିଲେ ନାହଁ। ଯେଉଁ ବିଧବା ମା’ ଓ ଭଉଣୀମାନେ ରହିଛନ୍ତି ସେମାନଙ୍କୁ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ କରାଗଲା ନାହିଁ। ଏହା ଦୁର୍ଭାଗ୍ୟର କଥା, କାରଣ କମ୍‌ ବୟସର ମା’ ଓ ଭଉଣୀମାନେ ବିଧବା ହୋଇ ରହିଛନ୍ତି। ସେମାନେ ହାତରେ ଗୋଟିଏ ଆଉ କାଖରେ ଗୋଟିଏ ପିଲା ଧରି ଖଟି ଖାଉଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ଗୋଟିଏ କଥା କହିଥିଲେ କିନ୍ତୁ ଆଜି ତାହା ପୂରଣ କରିବାରେ ଅସଫଳ ହୋଇଛନ୍ତି। ତେଣୁ ଯେଉଁ ବିଧବା ମା’ ଓ ଭଉଣୀମାନେ ଏଥିରୁ ବଞ୍ଚିତ ରହିଛନ୍ତି ସେମାନଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାରା ଅନୁରୋଧ କରିଛନ୍ତି। ଆଗାମୀ ଦିନରେ ବିଧାନସଭାରେ ମଧ୍ୟ ଏକଥା ଉଠାଇବେ ବୋଲି ସେ କହିଥିଲେ।
ତାରା ପୁଣି କହିଛନ୍ତି, ୨ କିସ୍ତିରେ ସରକାର ଯଦି ମା’, ଭଉଣୀଙ୍କୁ ସୁଭଦ୍ରା ଯୋଜନା ଟଙ୍କା ଦେଇଥାନ୍ତେ ତେବେ ସେମାନେ ସ୍ବାବଲମ୍ବୀ ହୋଇପାରିଥାନ୍ତେ। ୫ ବର୍ଷ ଭିତରେ ୫୦ ହଜାର ଟଙ୍କା ସରକାର ଦେବେ, ଏ ପଦକ୍ଷେପକୁ ଆମେ ସ୍ବାଗତ କରୁଛୁ। କିନ୍ତୁ ୨ କିସ୍ତିରେ ଟଙ୍କା ପ୍ରଦାନ କରାଯାଇଥିଲେ ସେମାନେ ସ୍ବାବଲମ୍ବୀ ହେବା ସହଜ ହୋଇପାରିଥାନ୍ତା ବୋଲି ସେ କହିଥିଲେ। ଏହାକୁ ମଞ୍ଚ ତଳେ ବସିଥିବା ଭାଜପା ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟ ବିରୋଧ କରିବା ସହ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ସହ ଯୁକ୍ତି କରିଥିଲେ। ଆଗାମୀ କୌଣସି କାର୍ଯ୍ୟକ୍ରମରେ ଆମେ ଯାହା ପଢ଼ିବାକୁ ଦେବୁ ତାହା ବିଧାୟକ ପଢ଼ିିବେ, ନ ହେଲେ ହାତଧରି ମଞ୍ଚରୁ ଓହ୍ଲାଇ ଦେବୁ ବୋଲି ଗୌତମ କହିଥିଲେ। ତାଙ୍କ ସମର୍ଥକମାନେ ମଧ୍ୟ ଜୟପୁର ବିଡିଓ ଶକ୍ତି ମହାପାତ୍ର ଏବଂ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜୟପୁରରୁ ବଦଳିକରିବା ପାଇଁ ଚେତାବନୀ ଦେଇଥିଲେ। ଏହି ଘଟଣାକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି। କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା କେତେକ ମହିଳା ବିଧାୟକ ବାହିନୀପତି ଯାହା କହିଲେ ତାହା ସତ୍ୟ ବୋଲି କହିିଛନ୍ତି।

Share