ପାଣି ମୁନ୍ଦେ ପାଇଁ ଚାଲିବାକୁ ପଡୁଛି ମାଇଲ ମାଇଲ ବାଟ

ମାଲକାନଗିରି,୨୪।୪(ଡି.ଏନ୍‌.ଏ.): ପ୍ରଚଣ୍ଡ ଗ୍ରୀଷ୍ମତାପକୁ ଜଳକଷ୍ଟ ଏବେ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ପାନୀୟ ଜଳ ମୁନ୍ଦେ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସେମାନଙ୍କୁ ମାଇଲ ମାଇଲ ବାଟ ଚାଲିବାକୁ ପଡୁଛି। ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା ସଦର ବ୍ଲକ ଅନ୍ତର୍ଗତ ତଣ୍ଡାପାଲି ପଞ୍ଚାୟତର ୧୨ ନଂ. ୱାର୍ଡ କଲୋନି ସାହିରେ।
ସାହିରେ ପ୍ରାୟ ୫୦ରୁ ଉଦ୍ଧର୍‌ବ ପରିବାର ବସବାସ କରନ୍ତି। ସାହିବାସିନ୍ଦାଙ୍କ ଲାଗି କଲୋନିରେ ଗୋଟିଏ ମଧ୍ୟ ନଳକୂପ ନାହିଁ। ବର୍ଷ ସାରା ଲୋକେ ଜଳ ସମସ୍ୟା ଭୋଗୁଛନ୍ତି। ଗ୍ରୀଷ୍ମଦିନେ ଏହା ଅଧିକ ଉତ୍କଟ ହୋଇଥାଏ। କଲୋନି ସାହିର ମହିଳାମାନେ ଘରଠାରୁ ମାଇଲ ମାଇଲ ବାଟ ଯାଇ ଚୁଆରୁ ପାଣି ସଂଗ୍ରହ କରି ଆଣୁଛନ୍ତି। ଏହି ପାଣି ନିଜେ ବ୍ୟବହାର କରିବା ସହ ଗୃହପାଳିତ ପ୍ରାଣୀଙ୍କ ପାଇଁ ମଧ୍ୟ ବ୍ୟବହାର କରୁଛନ୍ତି। ଏହାଦ୍ବାରା ବହୁ ସମୟରେ ଲୋକେ ରୋଗାକ୍ରାନ୍ତ ହୋଇପଡୁଥିବା ଅଭିଯୋଗ କରିଛନ୍ତି। ଏନେଇ ପଞ୍ଚାୟତଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଜଣାଇ କିଛି ସୁଫଳ ମିଳିନାହିଁ। ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁ ବ୍ଲକ ସଦର ମହକୁମା ନିକଟରେ ଥିବା ଏହି ଅଞ୍ଚଳରେ ଜଳ ସମସ୍ୟା ସୁଧୁରୁନାହିଁ। ତୁରନ୍ତ ଉକ୍ତ ଅଞ୍ଚଳରେ ଏକ ନଳକୂପ ଖନନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ଅଜୟ ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ, କଲୋନିସାହି ମଣ୍ଡିରେ ସାହିବାସିନ୍ଦାଙ୍କ ପାଇଁ ଗୋଟିଏ ନଳକୂପ ରହିଛି। ଏଥିରୁ ସେମାନେ ପାଣି ବ୍ୟବହାର କରୁଛନ୍ତି। ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନେଇ କଲୋନିସାହି ଆରମ୍ଭ ଯାଏ ପାଇପ ବିଛା, ଷ୍ଟାଣ୍ଡପୋଷ୍ଟ କାମ ସରିଛି। ଆସନ୍ତା ସପ୍ତାହକ ମଧ୍ୟରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହେବ ବୋଲି ପ୍ରଧାନ କହିଛନ୍ତି।