Categories: ଜାତୀୟ

କିଣିବାକୁ ଅଛି ସୁନା, ଚାନ୍ଦି ଅବା ପ୍ଲାଟିନମ, ଜାଣି ନିଅନ୍ତୁ ବଜେଟ ପରେ କେତେ କମିବ ଦାମ

ନୂଆଦିଲ୍ଲୀ,୨୩।୭: ଯଦି ଆପଣ ସୁନା, ରୂପା କିମ୍ବା ପ୍ଲାଟିନମ ଅଳଙ୍କାର ଉପହାର ଦେବାକୁ ଚିନ୍ତା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ। ବାସ୍ତବରେ ସୁନା, ରୂପା ଏବଂ ପ୍ଲାଟିନମ ଅଳଙ୍କାର ଶୀଘ୍ର ଶସ୍ତା ହେବାକୁ ଯାଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସାଧାରଣ ବଜେଟରେ ସୁନା ଓ ରୂପା ଉପରେ କଷ୍ଟମ ଶୁଳ୍କକୁ ୧୫ରୁ ୬ପ୍ରତିଶତକୁ ହ୍ରାସ କରିବାକୁ ଘୋଷଣା କରିଥିବାବେଳେ ପ୍ଲାଟିନମରେ କଷ୍ଟମ ଡ୍ୟୁଟି ୧୫.୪ ରୁ ୬.୪ପ୍ରତିଶତକୁ ହ୍ରାସ କରାଯାଇଛି। ସରକାରଙ୍କ ଏହି ଘୋଷଣା ସହିତ ଖୁବ ଶୀଘ୍ର ସୁନା, ରୂପା ଏବଂ ପ୍ଲାଟିନମ ଅଳଙ୍କାର ଶସ୍ତା ହେବ।

ବଜେଟ ୨୦୨୪ଭାଷଣରେ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ଦେଶରେ ମୂଲ୍ୟବାନ ଧାତୁ ଅଳଙ୍କାରରେ ଘରୋଇ ମୂଲ୍ୟ ବୃଦ୍ଧି ପାଇଁ ମୁଁ ସୁନା ଓ ରୂପା ଉପରେ କଷ୍ଟମ ଶୁଳ୍କକୁ ୬ ପ୍ରତିଶତକୁ ଏବଂ ପ୍ଲାଟିନମ ଉପରେ ୬.୪ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛି।
ବର୍ତ୍ତମାନ ଏହି ରିହାତି ସାଧାରଣ ଭାଷାରେ ବୁଝିହେବ ଯଦି ଆପଣ ଆଜି ୧୦ ଗ୍ରାମ ୨୨କ୍ୟାରେଟ ସୁନା ଅଳଙ୍କାର କିଣନ୍ତି, ତେବେ ଏହାର ମୂଲ୍ୟ ବର୍ତ୍ତମାନ ୭୬.୫୧୦ ଟଙ୍କା । ବର୍ତ୍ତମାନ, ୧୫ ପ୍ରତିଶତ କଷ୍ଟମ ଡ୍ୟୁଟି ଅର୍ଥାତ୍‌ ୧୦,୧୨୬ ଟଙ୍କା ଆମଦାନୀ ଶୁଳ୍କ ଏଥିରେ ସଂଲଗ୍ନ ହୋଇଛି। ତେବେ ବର୍ତ୍ତମାନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ବଜେଟରେ କଷ୍ଟମ ଡ୍ୟୁଟିକୁ ୬ପ୍ରତିଶତକୁ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଏହି ସମାନ ସୁନା ମୂଲ୍ୟ ପ୍ରାୟ ୬୨,୦୦୦ ଟଙ୍କା ହେବ। ଅର୍ଥାତ୍‌ ବଜେଟର ଏହି ଘୋଷଣା ପରେ ୧୦ଗ୍ରାମ ସୁନା ଅଳଙ୍କାର ପ୍ରାୟ ୫ହଜାର ଟଙ୍କା ଶସ୍ତା ହେବ।
ରୂପା ବିଷୟରେ କହିବାକୁ ଗଲେ ଆଜି ଏକ କିଲୋଗ୍ରାମ ରୂପା ମୂଲ୍ୟ ୮୮,୯୮୩ ଟଙ୍କା। ଏହା ଉପରେ ମଧ୍ୟ ୧୫% କଷ୍ଟମ ଡ୍ୟୁଟି ଅନୁଯାୟୀ ୧୨ହଜାର ଟଙ୍କା ଟ୍ୟାକ୍ସ ଆଦାୟ କରାଯାଏ। ବର୍ତ୍ତମାନ ଯଦି ଆମେ ୬%କଷ୍ଟମ ଡ୍ୟୁଟି ଯୋଡିବା ତେବେ ଏହା ପ୍ରାୟ ୭୦୦୦ଟଙ୍କା ଶସ୍ତା ହେବ। ଅନ୍ୟପକ୍ଷରେ, ୧୫.୪ ପ୍ରତିଶତ ଆମଦାନୀ ଶୁଳ୍କ ସହିତ ୧୦ ପ୍ଲାଟିନମର ମୂଲ୍ୟ ଆଜି ୨୫,୫୨୦ ଟଙ୍କା, ଯାହା ବର୍ତ୍ତମାନ ପ୍ରାୟ ୨୦୦୦ ଟଙ୍କା ଶସ୍ତା ହେବ।

Share