ମାସ୍କର ଦାମ୍‌ ୩୫୫ଡଲାର

ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହା କବଳରେ ଏବେ ମାୟାନଗରୀର କେତେକ ବଲିଉଡ୍‌ ସେଲିବ୍ରିଟି। ଅଭିନେତା ଅକ୍ଷୟ କୁମାରଙ୍କ ଠାରୁ ଆରମ୍ଭ କରି ଭିକି କୌଶଲ, କଟ୍ରିନା କୈଫ, ଭୂମି ପେଡନେକର, ରଣବୀର କପୁର, ମୋନାଲିସା, ବାପି ଲେହରୀ ଆଦି ସଂକ୍ରମିତଙ୍କ ତାଲିକାରେ ରହିଛନ୍ତି। ବର୍ତ୍ତମାନ ସ୍ଥିତି ଏଭଳି ହୋଇଛି ଯେ, ଯଦି ସତର୍କତା ଅବଲମ୍ବନ ନ କରିବା ତେବେ ନିଜ ଜୀବନକୁ ବିପଦରେ ପକାଇବା ସହିତ ସମାନ। ତେଣୁ ଏବେ ସବୁ ସେଲିବ୍ରିଟି ସତର୍କତା ଅବଲମ୍ବନ କରୁଥିବାର ଦେଖିବାକୁ ମିଳିଛି। ନିକଟରେ ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାଁ ନିଜର ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ମାସ୍କ ପିନ୍ଧିଥିବା ନଜର ଆସିଛନ୍ତି। ଫଟୋ ଶେୟାର କରିବା ସହ ସେ ନିଜ ପ୍ରଶଂସକଙ୍କୁ ମାସ୍କ ପିନ୍ଧିବାକୁ ନିବେଦନ କରିଛନ୍ତି। ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହେଲେ ଜାଣିଛନ୍ତି କି, ବେବୋ ଯେଉଁ ମାସ୍କ ପିନ୍ଧିଛନ୍ତି ତା’ର ଦାମ୍‌ କେତେ। ଏହାର ଦାମ୍‌ ଶୁଣିଲେ ଯାହାକୁ ବି ଆଶ୍ଚର୍ଯ୍ୟ ଲାଗିବ। କାରଣ ଏହା ଜଣେ ମଧ୍ୟବିତ୍ତ ପରିବାରର ମାସିକ ଆୟ ମଧ୍ୟ ହୋଇପାରେ। ଆଜ୍ଞା ହଁ, କରୀନା ଯେଉଁ କଳା ରଙ୍ଗର ବ୍ରାଣ୍ଡ୍‌ର ମାସ୍କ ପିନ୍ଧିଛନ୍ତି ତା’ର ଦାମ୍‌ ହେଉଛି ୩୫୫ ଡଲାର। ଭାରତୀୟ ମୁଦ୍ରା ଅନୁସାରେ ଏହାର ଦାମ୍‌ ହେଉଛି ୨୫ହଜାର ୯୯୪ଟଙ୍କା।

Share