ଧଳାଜହର କାରବାରରେ ସୁନ୍ଦରୀ ତରୁଣୀ: ଡିଲ୍ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ

ଭୁବନେଶ୍ବର,୧।୯: ରାଜଧାନୀ ଭୁବନେଶ୍ୱରରେ କାୟା ମେଲାଇ ବସିଛନ୍ତି ନିଶା ଦ୍ରବ୍ୟ ବେପାରୀ। ରାତି ଦିନ କିଛି ମାନୁ ନାହାନ୍ତି। ସୁନ୍ଦରୀ ତରୁଣୀଙ୍କୁ ଲଗାଇ ଛାତ୍ର, ଯୁବବର୍ଗଙ୍କୁ କରୁଛନ୍ତି ଟାର୍ଗେଟ। ଏହିଭଳି ରବିବାର ବଡ଼ଗଡ଼ ଥାନା କଳ୍ପନା ଅଞ୍ଚଳର ସବାର ସହି ନିକଟରେ ଡିଲ୍ ବେଳେ, ଜଣେ ସୁନ୍ଦରୀ ନିଶା ବେପାରୀଙ୍କୁ ଧରିଛି ଅବକାରୀ ବିଭାଗ।

ଯୁବତୀଙ୍କ ସହିତ ତାଙ୍କର ପୁରୁଷ ବନ୍ଧୁ ଓ ଅନ୍ୟ ଜଣେ ସହଯୋଗୀଙ୍କୁ ମଧ୍ୟ ଧରିଛି ଅବକାରୀ ବିଭାଗ। ଅଭିଯୁକ୍ତଙ୍କ ନିକଟରୁ 275 ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ଗୋଟିଏ ଆଇ20 କାର୍ ମଧ୍ୟ ଜବତ ହୋଇଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ଛାତ୍ରୀ ଛାତ୍ର ହୋଇଥିଲେ ମଧ୍ୟ ନିଜେ ବ୍ରାଉନ ସୁଗାର ସେବନ କରିବା ସହିତ ବିଭିନ୍ନ କଲେଜର ଅନ୍ୟ ଛାତ୍ରୀ ଛାତ୍ରମାନଙ୍କୁ ନିଶରଦ୍ରବ୍ୟ ବିକ୍ରି କରୁଥିଲେ।

ତେବେ ତିନି ଅଭିଯୁକ୍ତ ବ୍ରାଉନ୍ସୁଗାର ସେବନ କରୁଥିବା ଗଣମାଧ୍ୟମ ଆଗରେ ସ୍ୱୀକାର କରିଥିଲେ ମଧ୍ୟ ବିକ୍ରି କରୁଥିବା ପ୍ରଶ୍ନକୁ ଖାରଜ କରିଛନ୍ତି। ଜନ୍ମଦିନ ପାଳନ କରିବା ପାଇଁ ସେମାନେ ଏତେ ମାତ୍ରାରେ ବ୍ରାଉନ ସୁଗାର କିଣି ଫେରୁଥିବା ବେଳେ ସେମାନଙ୍କୁ ଅବକାରୀ ବିଭାଗ ଧରିଥିବା ସେମାନେ କହିଛନ୍ତି। ସେମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ, ରାଜଧାନୀ ଭୁବନେଶ୍ୱରରେ ବ୍ରାଉନ ସୁଗାର ପାଇଁ ଯୁବତୀମାନଙ୍କର ଅଧିକ ଡିମାଣ୍ଡ ରହୁଛି।

Share