ନୟାଗଡ଼ ଅଫିସ,୧୪।୪: ନୟାଗଡ଼ ସହରରେ ଦଣ୍ଡପବର୍ର୍ ବୁଧବାର ରାତିରେ ଶୋଭାଯାତ୍ରା ଚାଲିଥିବା ବେଳେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏହି ଘଟଣାରେ ନୟାଗଡ଼ ଟାଉନ ଥାନା ଅଧୀନ ଦୁର୍ଗାପ୍ରସାଦ ଗାଁର ଯୁବ ଇଞ୍ଜିନିୟର ନବୀନ ପରିଡ଼ା(୨୬)ଙ୍କୁ ହତ୍ୟା କରାଯାଇଛି। ଦେଉଳପଲ୍ଲୀ ଗାଁଲୋକ ନବୀନଙ୍କୁ ହତ୍ୟା କରି ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି। ସେହିପରି ସିନ୍ଦୁରିଆ ଲୋକନାଥ ମନ୍ଦିରରେ ଦୁର୍ଗାପ୍ରସାଦର ଦଣ୍ଡୁଆମାନଙ୍କୁ ତାଲା ପକାଇ ପ୍ରାୟ ଅଧ ଘଣ୍ଟା ରଖାଯାଇଥିଲା। ସେମାନଙ୍କ ଉପରକୁ ଢ଼େଲାପଥର ମାଡ଼ କରାଯାଇଥିଲା। ପୋଲିସକୁ ଦଣ୍ଡୁଆମାନେ ଖବର ଦେଇଥିଲେ। ହେଲେ ପୋଲିସ ଘଟଣାସ୍ଥଳକୁ
ବହୁ ବିଳମ୍ବରେ ଆସିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଲା ବୋଲି ଅଭିଯୋଗ ହୋଇଛି।
ଏପରି କି ନିଜ ଗାଁ ଦଣ୍ଡୁଆମାନଙ୍କୁ ଉଦ୍ଧାର କରିବା ପାଇଁ ଦୁର୍ଗାପ୍ରସାଦର ୫ଜଣ ଲୋକ ସେଠାରେ ପହଞ୍ଚି ଥିଲେ। ସେମାନଙ୍କୁ ଅପରଗୋଷ୍ଠୀ ଢ଼େଲାପଥର ମାଡ଼ କରିଥିବା ସୂଚନା ମିଳିଛି। ଏହି ଗଣ୍ଡଗୋଳ ଚାଲିଥିବା ବେଳେ ଯୁବ ଇଞ୍ଜିନିୟର ନବୀନଙ୍କ ସମେତ ୨ଜଣଙ୍କୁ ଅପହରଣ କରାଯାଇଥିଲେ ମଧ୍ୟ ଦୁର୍ଗାପ୍ରସାଦ ଲୋକ ଜାଣି ପାରି ନ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଖସି ଆସିଥିବାବେଳେ ନବୀନଙ୍କୁ ଦେଉଳପଲ୍ଲୀ ବାସିନ୍ଦା ହତ୍ୟା କରି ଫୋପାଡି ଦେଇଥିବା ଅଭିଯୋଗ ହୋଇଛି।
ପୋଲିସ ନବୀନଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପଠାଇଛି। ଏହାକୁ ନେଇ ସିନ୍ଦୁରିଆରେ ଉତ୍ତେଜନା ଲାଗି ରହିଛି। ଆକ୍ରମଣକାରୀଙ୍କ ପଥର ମାଡ଼ରେ ଟାଉନ ଥାନା ଆଇଆଇସି ପ୍ରଜ୍ଞା ପାରମିତା ଜେନାଙ୍କ ସମେତ ଦୁର୍ଗାପ୍ରସାଦର ଅଖିଳ ମାଝି, କିଶୋର ମାଝି, ଶ୍ରୀକାନ୍ତ ଦଳେଇ, ଶ୍ରୀହରି ହରପ୍ରସାଦ, ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ୧୧ ଜଣ ଆହତ ହୋଇଛନ୍ତି। ଆହତମାନେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଦେଉଳପଲ୍ଲୀର ଆହତମାନେ କେଉଁଠି ଚିକିସତ୍ିତ ହେଉଛନ୍ତି ସୂଚନା ମିଳିନାହିଁ। ମୃତକଙ୍କ ପରିବାର ଓ ଆହତମାନଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୪୩/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଏସ୍ପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଏସ୍ପି ଉମାକାନ୍ତ ମଲ୍ଲିକ ପହଞ୍ଚି ତଦନ୍ତ କରିଛନ୍ତି। ଅନ୍ୟପକ୍ଷେ ଏତେବଡ଼ ଶୋଭାଯାତ୍ରାରେ ପୋଲିସ ଫୋର୍ସ ବଦଳରେ ହୋମଗାର୍ଡ ଡ୍ୟୁଟି କରୁଥିବା ଦେଖିବାକୁ ମିଳିଥିଲା। ପୋଲିସର ଦାୟିତ୍ୱହୀନତା ଯୋଗୁ ଗୋଟିଏ ଜୀବନ ଚାଲିଗଲା ବୋଲି ଗ୍ରାମବାସୀ କହିଛନ୍ତି।
ସୂଚନା ଅନୁଯାୟୀ, ବୁଧବାର ଦେଉଳପଲ୍ଲୀ ଓ ଦୁର୍ଗାପ୍ରସାଦ ଗାଁ ପକ୍ଷରୁ ଦଣ୍ଡ ଠାକୁରଙ୍କ ଶୋଭାଯାତ୍ରା ବାହାରିଥିଲା। ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଉଭୟ ଗାଁର ଡିଜେ ଗାଡ଼ି ମୁହାଁମୁହିଁ ହେବା ପରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏନେଇ ଟାଉନ ଥାନା ଆଇଆଇସି ପ୍ରଜ୍ଞା ପାରମିତା ଜେନା କୁହନ୍ତି, ପୋଲିସ ଘଟଣା ତଦନ୍ତ କରୁଛି। କେତେଜଣ ଲୋକଙ୍କୁ ଅଟକ ରଖି ପଚରାଉଚୁରା ଚାଲିଛି। ନବୀନଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।