ସମ୍ପର୍କୀୟ ମାମୁଝିଅକୁ ଅପହରଣ କରି ବନ୍ଧା ହେଲେ ଯୁବକ

କୋକସରା,୮।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ପୋଲିସ ସମ୍ପର୍କୀୟ ମାମୁଝିଅକୁ ଅପହରଣ ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ ଧର୍ମଗଡ଼ ବ୍ଲକ ଚିଲିଚିଲା ଗ୍ରାମର ଗୋକୁଳାନନ୍ଦ ନାଏକ (୩୭)। କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ଅଞ୍ଚଳର ଜଣେ ନାବାଳିକା ଗତ ୩ ତାରିଖ ସାରେ ତାଙ୍କ ମା’ଙ୍କ ସହ ଶୌଚ ହେବା ପାଇଁ ଗାଁ ନିକଟରେ ଥିବା ପଡିଆକୁ ଯାଇଥିଲେ। ଏହି ସମୟରେ ସମ୍ପର୍କୀୟ ମାମୁପୁଅ ଗୋକୁଳାନନ୍ଦ କେତେ ଜଣ ସାଙ୍ଗଙ୍କ ସହ ମିଶି ଏକ ଗାଡିରେ ମା’ଙ୍କ ଉପସ୍ଥିତିରେ ଜୋରଜବରଦସ୍ତ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ। ଏ ନେଇ ୪ ତାରିଖରେ ନାବାଳିକାଙ୍କ ବାପା କୋକସରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଯୁବକଙ୍କ ମୋବାଇଲ ଟ୍ରାକିଂ କରି ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଅଞ୍ଚଳ ଭାଟିପଡା ଗ୍ରାମରୁ ଅପହୃତାଙ୍କୁ ଉଦ୍ଧାର କରିବା ସହ ଯୁବକଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଥିଲା। ଏନେଇ କୋକସରା ଥାନାରେ ଏକ ମାମଲା (ନଂ.୨୪୫/୨୨) ରୁଜୁ ହୋଇଛି।