ସାଇବର ଠକେଇରୁ ବର୍ତ୍ତିଲେ ଯୁବକ

ବାଲେଶ୍ୱର ଅଫିସ, ୧୨।୧୦:  ହ୍ବାଟସଆପରୁ ପରିଚୟ ହେବା ପରେ ନଗ୍ନ ଭିଡ଼ିଓ କଲ୍‌ କରି ଫସାଇବାକୁ ଉଦ୍ୟମ କରୁଥିବା ମହିଳାଙ୍କଠାରୁ ଅଳ୍ପକେ ବର୍ତ୍ତିଛନ୍ତି ବାଲେଶ୍ୱର ସହରର ଜଣେ ଯୁବକ। ତେବେ ହ୍ବାଟସଆପ ଭିଡ଼ିଓ କଲରେ ନିଜର ମୁହଁ ଦେଖାଇ ନ ଥିବାରୁ ସେ ଏଭଳି ଠକାମିର ନିସ୍ତାର ଆଲୋଚନାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଉକ୍ତ ଯୁବକଙ୍କୁ ମଙ୍ଗଳବାର ଅପରାହ୍ନ ୫ଟା ୩୦ ମିନିଟ୍‌ରେ ହ୍ବାଟସଆପରେ ଗୋଟିଏ ମେସେଜ ଆସିଥିଲା। ପାୟଲ ନାମରେ ଆସିଥିବା ଏହି ମେସେଜରେ ପ୍ରଥମେ ପରିଚୟ ହେଲା ପରେ ଏହି ନମ୍ବରରୁ ଭିଡ଼ିଓ କଲ ଆସିଥିଲା। ହେଲେ ପୂର୍ବରୁ ଏନେଇ ସଚେତନ ଥିବା ଯୁବକଜଣକ ଭିଡ଼ିଓ କଲରେ ନିଜର ମୁହଁ ଦେଖାଇ ନ ଥିଲେ। ଏହି ସମୟରେ ମହିଳା ଜଣକ ନଗ୍ନ ହେଉଥିବା ଭିଡ଼ିଓ ଦେଖାଯାଇଥିଲା। ସମ୍ପୃକ୍ତ ଯୁବକ ଭିଡ଼ିଓ କଲ୍‌ କାଟି ଦେଇଥିଲେ। ଏହାପରେ ଜଣେ ବ୍ୟକ୍ତି ନିଜକୁ ପୋଲିସ ପରିଚୟ ଦେଇ ଯୁବତୀଙ୍କ ସହିତ ଖରାପ ସମ୍ପର୍କ ରଖିଛ ବୋଲି ଧମକ ଦେଇଥିଲେ। ତୁରନ୍ତ ଗିରଫ ହେବାକୁ ପ୍ରସ୍ତୁତ ରହିବାକୁ ଧମକ ଦେଇଥିଲେ। ପରେ ଗୁଗୁଲ ପେ ବା ଫୋନ ପେରେ ୫ହଜାର ୧୦୦ ଟଙ୍କା ଦେବାକୁ ଦାବି କରିଥିଲେ। ତେବେ ଠକଙ୍କ ସମ୍ପର୍କରେ ପୂର୍ବରୁ ଅବଗତ ଥିବା ଉକ୍ତ ଯୁବକ ଠକ ବ୍ୟକ୍ତିଙ୍କୁ କଟୁ ଭାଷାରେ ଗାଳିଗୁଳଜ କରିଥିଲେ।