କେନ୍ଦ୍ର ମନ୍ତ୍ରୀଙ୍କ ପୁତୁରା କହି ଠକୁଥିଲେ ଯୁବକ: ଚାକିରୀ କରାଇଦେବା ନାଁରେ ନେଉଥିଲେ ଟଙ୍କା

ଭୁବନେଶ୍ୱର,୫ା୯(ସୂର୍ଯ୍ୟକାନ୍ତ ବେହେରା): ନେତା ଓ ମନ୍ତ୍ରୀଙ୍କ ସହ ପରିଚିତ ଥିବା କହି ଏକାଧିକ ଲୋକଙ୍କୁ ଠକିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଠକାମିର ଶିକାର ହୋଇଥିବା ବ୍ୟକ୍ତି ମୋବାଇଲ ଖୋଜି ଖୋଜି ମାଷ୍ଟରକ୍ୟାଣ୍ଟିନ ସ୍ଥିତ ଏକ ହୋଟେଲରୁ ଉକ୍ତ ଯୁବକଙ୍କୁ କାବୁ କରି କ୍ୟାପିଟାଲ ଥାନା ପୋଲିସ ଜିମାରେ ଦେଇଛନ୍ତି।

ଏନେଇ ପୋଲିସ ଉକ୍ତ ଯୁବକଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଠକିଥିବା ଯୁବକଙ୍କ ନାଁ ରାହୁଲ ସାହୁ । ପୋଲିସ ତାଙ୍କୁ ପଚରାଉଚରା କରୁଥିବା ବେଳେ ତାଙ୍କ ଫୋନ ଜବତ କରିଛି। ଏଥିସହ ତାଙ୍କ ନିକଟରୁ ବହୁ ଜାଲ ନିଯୁକ୍ତିପତ୍ର, ବଦଳି ଆଦେଶ ଜବତ କରିଥିବା ସୂଚନା ମିଳିଛି।

ଧରାପଡିଥିବା ଯୁବକ ଜଣଙ୍କ ନିଜ ପ୍ରକୃତ ପରିଚୟକୁ ଗୋପନୀୟ ରଖି ଲୋକଙ୍କୁ କୃଷ୍ଣ ବୋଲି କହିଥିଲେ। ଏପିରିକି ସଠିକ ଘର ନକହି କେତେବେଳେ ତାଲଚେର ତ ପୁଣି କେତେବେଳେ ଅନୁଗୁଳ ଏବଂ ପାଲଲହଡା କହୁଥିଲେ। ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଧରାପଡିଥିବା ଯୁବକ ଜଣଙ୍କ କେତେବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା କହୁଥିଲେ ତ ପୁଣି କେତେବେଳେ ନେତାମନ୍ତ୍ରୀଙ୍କ ସହ ଭଲ ସଂପର୍କ ଥିବାର କହି କାହାକୁ ଚାକିରି କରାଇଦେବି ,ଟ୍ରାନ୍ସଫର କରାଇଦେବି, ପେଟ୍ରୋଲ ପମ୍ପ ବି ଖୋଲିଦେବାର ବ୍ୟବସ୍ଥା କରାଇଦେବା ନାଁରେ ଏକାଧିକ ଲୋକଙ୍କୁ ଲକ୍ଷାଧିକ ଟଙ୍କାର ଠକିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାଇଛି । ତେଣୁ ତଦନ୍ତ ସରିବା ପରେ ସ୍ପଷ୍ଟ କରାଯିବ ବୋଲି ପୋଲିସ କହିଛି ।

ଅଭିଯୋଗନୁସାରେ ରାହୁଲ ନିଜ ସୋଲିଆଲ ମିଡିଆରେ ନେତାମନ୍ତ୍ରୀଙ୍କ ପାଖରେ ଛିଡା ହୋଇଥିବା ଫଟୋ ପୋଷ୍ଟ କରିଥିଲେ। ଆଉ ଯେଉଁବ୍ୟକ୍ତିମାନେ ତାଙ୍କ ସହ କଥା ହେବାକୁ ଆରମ୍ଭ କରିଥିଲେ ରାହୁଲ ସେମାନଙ୍କୁ ମୋର ମନ୍ତ୍ରୀ ଓ ନେତା ଚିହ୍ନା ଥିବା କହୁଥିଲେ। ଫଳରେ ଦୀର୍ଘ ଦିନ ଧରି ଚାକିରି ପାଇଁ ତଥା ବଦଳି ପାଇଁ ଦୌଡି ନୟାନ୍ତ ହେଉଥିବା ଲୋକେ ତାଙ୍କୁ ଯୋଗଯୋଗ କରିଥିଲେ। ହେଲେ କାମ କରିବା ପୂର୍ବରୁ ରାହୁଲ ସେମାନଙ୍କଠାରୁ ଅଗ୍ରୀମ ଟଙ୍କା ନେଇ ଯାଉଥିଲେ। ପରେ ଆଉ ଧରାଛୁଆଁ ଦେଉ ନଥିଲେ। ରାହୁଲ ନିଜକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା କହି ଲୋକଙ୍କୁ ଠକୁଥିବା ବେଳେ ଏହା ଦଳୀୟ କର୍ମୀଙ୍କ ନଜରରେ ପଡିବା ପରେ ବୁଧବାର ରାତିରେ ମାଷ୍ଟର କ୍ୟାଣ୍ଟିନସ୍ଥିତ ଏକ ଲଜରେ ପଶି ସେମାନେ ରାହୁଲଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ଅନ୍ୟପଟେ ବାସ୍ତବରେ ରାହୁଲ ଧର୍ମେନ୍ଦ୍ରଙ୍କ ପୁତୁରା କି ନାହିଁ ପୋଲିସ ଏଦଗିରେ ଅଧିକ ତଦନ୍ତ ଚଳାଇଛି ।