ପୁରୁଷୋତ୍ତମପୁର,୩।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅଲାଡି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ବେଳେ ଋଷିକୁଲ୍ୟା ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅଲାଡିଗାଁର ଗଣେଶ ମିଶ୍ରଙ୍କ ଏକମାତ୍ର ପୁଅ ରାକେଶ ମିଶ୍ର(୧୯)। ସେ ସମସ୍ତ ସାଙ୍ଗମାନଙ୍କ ସହ ମିଶି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମ ନିକଟସ୍ଥ ଋଷକୁଲ୍ୟା ନଦୀକୁ ଯାଇ ମୂର୍ତ୍ତି ବିସର୍ଜନ କରିଥିଲେ। ଏହାପରେ ସମସ୍ତେ ଫେରିଥିବା ବେଳେ ରାକେଶ କିନ୍ତୁ ଫେରି ନ ଥିଲେ। ପରେ ସାଙ୍ଗମାନେ ନଦୀକୁ ଯାଇ ବହୁ ଖୋଜାଖୋଜି କରିବା ପରେ ରାକେଶ ପାଣିରେ ଭାସୁଥିବାର ଦେଖି ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁରୁଷୋତ୍ତମପୁର ଥାନା ଏଏସ୍ଆଇ ଶିଦ୍ଧେଶ୍ବର ରଣବୀର ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ମୃତଦେହ ଜବତ କରିବା ସହ ପୋଲିସ ଏକ ଅପମୃତ୍ୟୁ ମାମଲା କେସ ନଂ ୨୧/୨୨ ରୁଜୁ କରି ଶନିବାର ବ୍ୟବଚ୍ଛେଦ ପାଇଁ ପଠାଇଛି।