ଦେହସାରା ବ୍ୟାଣ୍ଡେଜ୍‌ ବାନ୍ଧି ବିବାହ କଲେ ଯୁବକ

ଜାକର୍ତ୍ତା,୮।୪: ବିବାହରେ ବର କନ୍ୟା ବିଳାସପୂର୍ଣ୍ଣ ଦାମିକା ପୋଷାକ ପିନ୍ଧିଥାନ୍ତି। ଦେହସାରା ବ୍ୟାଣ୍ଡେଜ୍‌ ବାନ୍ଧି ବିବାହ କରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏଭଳି ଏକ ଘଟଣା ଇଣ୍ଡୋନେସିଆରେ ଘଟିଛି। ଜଣେ ଯୁବକ ବିବାହରେ ଦେହରେ ବ୍ୟାଣ୍ଡେଜ୍‌ ଗୁଡ଼ାଇ ହୋଇ ପହଞ୍ଚିଛନ୍ତି। ପୂର୍ବ ଜାଭା ଅଞ୍ଚଳରେ ବାସ କରୁଥିବା ସୁପ୍ରାପ୍ତୋ ନାମକ ଯୁବକଙ୍କର ବିବାହର ୪ ଦିନ ପୂର୍ବରୁ ଦୁର୍ଘଟଣା ଘଟିଥିଲା। ଏଥିରେ ତାଙ୍କର ହାତ ଭାଙ୍ଗିଯିବା ସହିତ ଦେହ ଖଣ୍ଡିଆ ଖାବରା ହୋଇଯାଇଥିଲା। ତେବେ ପୂର୍ବରୁ ବିବାହ ଦିନ ଧାର୍ଯ୍ୟ ହୋଇଥିବାରୁ ଶାରୀରିକ ଅସୁସ୍ଥତା ସତ୍ତ୍ୱେ ସେ କେବଳ ଶର୍ଟସ୍‌ ପିନ୍ଧି ଦେହରେ ବ୍ୟାଣ୍ଡେଜ ଗୁଡ଼ାଇ କନ୍ୟା ଘରେ ପହଞ୍ଚିଥିଲେ। କନ୍ୟା ଇଲିଣ୍ଡା ଡିଓ୍ବି କ୍ରିଷ୍ଟିଆନି ଅତି ସୁନ୍ଦର ଭାବେ ବିବାହ ପୋଷାକ ପିନ୍ଧିଥିବାବେଳେ ତାଙ୍କ ନିକଟରେ ବସିଥିବା ବର ସୁପ୍ରାପ୍ତୋଙ୍କ ଅବସ୍ଥା ଦୟନୀୟ ଥିଲା। ବିବାହର ଏହି ଫଟୋକୁ ଏପ୍ରିଲ୍‌ ୨ରେ ଜଣେ ୟୁଜର ଟୁଇଟରରେ ଅପଲୋଡ କରିଥିଲେ। ମାତ୍ର ଘଣ୍ଟାକ ମଧ୍ୟରେ ଏହାକୁ ସାଢ଼େ ୧୪ ହଜାର ଲାଇକ୍‌ ମିଳିଥିଲା। ଏବେ ଏହା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share