ବିଫଳ ପ୍ରେମିକଙ୍କ ଚରମ ନିଷ୍ପତ୍ତି

ବ୍ରହ୍ମପୁର ଅଫିସ,୧୪।୫: ବଡ଼ବଜାର ଥାନା ଅଧୀନ ଲକ୍ଷ୍ମୀନୃସିଂହ ସାହିରେ ଜଣେ ଯୁବକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଶରତ ଜେନାଙ୍କ ପୁଅ ପ୍ରମୁଖ ଜେନା(୨୧)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା (ନଂ.୧୧/୨୨) ରୁଜୁ କରି ତଦନ୍ତ ଚଳାଇଛି।

ପ୍ରମୁଖ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। କୌଣସି କାରଣରୁ ପ୍ରେମରେ ବିଫଳ ହେବା ପରେ ସେ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଯୁବକ ଜଣଙ୍କ ଆତ୍ମହତ୍ୟା ପୂର୍ବରୁ ଯୁବତୀଙ୍କ ସହ ହ୍ବାଟ୍ସ ଆପ୍‌ରେ ଚାର୍ଟିଂ କରିଥିଲେ। ଏପରି କି ଆତ୍ମହତ୍ୟାର ଏକ ଡେମୋ ଯୁବତୀଙ୍କୁ ପଠାଇଥିବା ଜବତ ମୋବାଇଲରୁ ପୋଲିସ ଜାଣିବାକୁ ପାଇଛି।

ସୂଚନାଯୋଗ୍ୟ, ପ୍ରମୁଖ ବ୍ରହ୍ମପୁରରେ ଥିବା ଏକ କମ୍ପ୍ୟୁଟର ଦୋକାନରେ ଟେକ୍‌ନିସିଆନ ଭାବେ କାମ କରୁଥିଲେ। ସେତିକିବେଳେ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ପରବର୍ତ୍ତୀ ସମୟରେ ଯୁବତୀ ଜଣକ ତାଙ୍କଠାରୁ ଦୂରେଇ ଯାଇଥିଲେ। ଫଳରେ ସେ ସବୁବେଳେ ଚିନ୍ତାରେ ରହୁଥିଲେ। ମାନସିକ ଭାରସାମ୍ୟ ହରାଇ ପ୍ରମୁଖ ଏଭଳି ପଦକ୍ଷେପ ନେଇଥିବା ପୋଲିସ ସନ୍ଦେହ କରୁଛି।

Share