ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ ଘଟଣା: ବରଗଡ଼ରେ ଏଚ୍‌ଆର୍‌ପିସି ଟିମ୍‌

ବରଗଡ଼ ଅଫିସ,୧।୧୦: ବରଗଡ଼ ସହର ଉପକଣ୍ଠ ତୋରା ତଳିପଡାର ଜଣେ ଯୁବକ ଗୋବିନ୍ଦ କୁମ୍ଭାର ପୋଲିସ ହେପାଜତରେ ଥିବାବେଳେ ଗତ ସେପ୍ଟେମ୍ବର ୨୫ ତାରିଖ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ ଏବଂ ପୋଲିସ ଲାଠି ଚାଳନା ମଧ୍ୟ କରିଥିଲା। ଘଟଣାର ସମ୍ବେଦନଶୀଳତା ଦୃଷ୍ଟିରୁ ଏହି ଘଟଣାର ତଦନ୍ତ ପାଇଁ ବରଗଡ ଏସ୍‌ପି ରାହୁଲ ଜୈନ ମାନବାଧିକାର ସୁରକ୍ଷା ସେଲ୍‌(ଏଚ୍‌ଆରପିସି) ଏଡିଜିଙ୍କୁ ଅନୁରୋଧ କରିଥିଲେ। ଏହି କ୍ରମରେ ଶୁକ୍ରବାର ଏଚଆରପିସିର ଦୁଇ ଜଣିଆ ଟିମ୍‌ ତଦନ୍ତ ପାଇଁ ବରଗଡ଼ରେ ପହଞ୍ଚିଛନ୍ତି । ଏହି ଟିମରେ ଅତିରିକ୍ତ ଏସ୍‌ପି ଇତିକାନ୍ତ ମହାପାତ୍ରଙ୍କ ସହ ଡିଏସ୍‌ପି ବିଦ୍ୟୁତ ପଣ୍ଡା ରହିଛନ୍ତି । ସେମାନେ ପ୍ରଥମେ ବରଗଡ଼ ଏସପିଙ୍କୁ ଭେଟି ଆଲୋଚନା କରିବା ପରେ ଥାନାରେ ପହଞ୍ଚି ସବିଶେଷ ତଥ୍ୟ ନେଇଥିଲେ । ତେବେ ଘଟଣାଟି ତଦନ୍ତାଧିନ ଥିବା ଯୋଗୁ ବର୍ତ୍ତମାନ କିଛି କହିବାକୁ ସେମାନେ ମନା କରି ଦେଇଛନ୍ତି ।

Share