ସେଲ୍‌ଫି ହେଲା କାଳ, ୧୨ ଘଣ୍ଟା ପରେ ବି ମିଳିନି ଯୁବକଙ୍କ ପତ୍ତା

ସୁନ୍ଦରଗଡ଼,୧୯।୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ଇବ୍‌ ନଦୀର କନାକୁଣ୍ଡ ଘାଟରେ ପୁଣି ଆଉ ଏକ ଅଘଟଣ ଘଟିଛି । ରାଉରକେଲା ସେକ୍ଟର-୧୫ରୁ ଏଠାକୁ ୪ଜଣ ଯୁବକ ପିକ୍‌ନିକ୍‌ କରିବାକୁ ରବିବାର ଯାଇଥିଲେ। ଅପରାହ୍ନରେ ପଥର ଉପରେ ଛିଡ଼ା ହୋଇ ସେଲ୍‌ଫି ନେଉଥିବା ବେଳେ ସେମାନଙ୍କ ମଧ୍ୟରୁ ସୋମେଶ ମଲ୍ଲିକ ନାମକ ଜଣେ ଯୁବକଙ୍କ ଗୋଡ଼ ଖସିଯିବାରୁ ପାଣିରେ ପଡ଼ିଯାଇଥିଲେ। ପରେ ୩ ସାଙ୍ଗ ଏବଂ ପିକ୍‌ନିକ୍‌ ପାଇଁ ଆସିଥିବା ଅନ୍ୟ ପର୍ଯ୍ୟଟକଙ୍କ ସହ ମିଶି ପାଣିରେ ଖୋଜାଖୋଜି କରିଥିଲେ ମଧ୍ୟ ସୋମେଶଙ୍କ କୌଣସି ସନ୍ଧାନ ମିଳିନାହିଁ।

ଖବରପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଚଳାଇଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳି ନ ଥିଲା। ସୋମବାର ପୁଣି ଖୋଜାଖୋଜି ଚାଳିଛି। ହେଲେ ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେବ ଯୁବକଙ୍କ ପତ୍ତା ମିଳିପାରି ନାହିଁ। ସୂଚନାଯୋଗ୍ୟ, ପୂର୍ବରୁ ଏହି ସ୍ଥାନରେ ସେଲ୍‌ଫି ନେବାବେଳେ ୨ଜଣଙ୍କ ଜୀବନ ଯାଇଛି। ଏହା ସତ୍ତ୍ୱେ ଏଠାକୁ ପିକ୍‌ନିକ୍‌ କରିବାକୁ ଆସୁଥିବା ଲୋକଙ୍କ ଅସାବଧାନତା ଯୋଗୁ ବାରମ୍ବାର ଏଭଳି ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

Share