Categories: ଜାତୀୟ

ନୁପୁର ଶର୍ମାଙ୍କ ଭିଡିଓ ଦେଖିବାରୁ ଯୁବକଙ୍କୁ ଛୁରାମାଡ

ପାଟନା,୧୯।୭: ନୁପୁର ଶର୍ମା ମାମଲାକୁ ନେଇ ରାଜସ୍ଥାନର ଉଦୟପୁର ଏବଂ ମହାରାଷ୍ଟ୍ରର ଅମରାବତୀ ପରେ ବିହାରର ସୀତାମଢିରେ ମଧ୍ୟ ଏକ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ନୁପୁରଙ୍କ ବିବାଦୀୟ ଭିଡିଓ ଦେଖିବାକୁ ନେଇ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି। ଏହି ଘଟଣାରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଜୁଲାଇ ୧୬ରେ ଏହି ଘଟଣା ଘଟିଥିବା କୁହାଯାଉଛି। ପୋଲିସ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ସୀତାମଢିର ନାନପୁରରେ ଅଙ୍କିତ ଝା (୨୩) ନାମକ ଜଣେ ଯୁବକ ଏକ ପାନ ଦୋକାନରେ ଠିଆ ହୋଇ ନୁପୁର ଶର୍ମାଙ୍କ ଭିଡିଓ ଦେଖୁଥିଲେ। ସେ ଏହି ଭିଡିଓ ନିଜ ସୋସିଆଲ ମିଡିଆରେ ଷ୍ଟାଟସ୍‌ ରଖିଥିଲେ। ସେଠାରେ ସିଗାରେଟ ଟାଣୁଥିବା ଅନ୍ୟ ଜଣେ ଯୁବକଙ୍କ ସହ ଭିଡିଓକୁ ନେଇ ତାଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ସମ୍ପୃକ୍ତ ଯୁବକ ତାଙ୍କ ସାଥୀଙ୍କ ସହ ଆସି ଅଙ୍କିତଙ୍କୁ ଆକ୍ରମଣ କରିଥିଲେ। ଅଙ୍କିତଙ୍କୁ ୬ ଥର ଛୁରିରେ ଆକ୍ରମଣ ହୋଇଥିବା ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଅଙ୍କିତଙ୍କ ବାପା ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ କରିଛନ୍ତି।
ସୂଚନାଯୋଗ୍ୟ, ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଭାଜପା ଦଳରୁ ନିଲମ୍ବିତ ହୋଇଥିଲେ ନୁପୁର ଶର୍ମା। ଏହି ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ମଧ୍ୟ କରାଯାଇଥିଲା।

Share