ଆତ୍ମହତ୍ୟା କରିବା ସମୟରେ ଭାଙ୍ଗିଗଲା ଗଛ ଡାଳ, ତଥାପି ବଞ୍ଚିଲେନି ଯୁବକ

ପାଟଣା,୧୮।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ ନିହ୍ନୁଆଁ ଗାଁ ନୂଆ ସାହି ଗାଁମୁଣ୍ଡ ଆକାଶିଆ ଗଛ ମୂଳରେ ଗୁରୁବାର ସକାଳୁ ଜଣେ ୨୩ ବର୍ଷୀୟ ବିବାହିତ ଯୁବକଙ୍କ ମୃତଦେହ ଦେଖି ଗ୍ରାମବାସୀ ପୋଲିସକୁ ଖବର କରିଥିଲେ। ଖବର ପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ ହେଉଛନ୍ତି ନିହ୍ନୁଆଁ ନୂଆସାହିର ନାଗାର୍ଜୁନ ନାଏକ। ତାଙ୍କ ବେକରେ ଏକ ତଉଲିଆରେ ଫାଶୀ ଲାଗିଥିବା ସହ ଏକ ସରୁ ଆକାଶିଆ ଡାଳ ଲାଗିଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଭାଙ୍ଗି ପଡ଼ିଥିବା ସରୁ ଆକାଶିଆ ଡାଳରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଥାନାଧିକାରୀ ସୁଶାନ୍ତମଣି ମହାନ୍ତି କହିଛନ୍ତି। ଅନ୍ୟପକ୍ଷରେ ବୁଧବାର ରାତିରେ ନାଗାର୍ଜୁନଙ୍କ ଘରେ ପାରିବାରିକ କଳହ ହୋଇଥିବାରୁ ସେ ନିଖୋଜ ଥିଲେ। ମୃତଦେହ ନିକଟରେ ଏକ ଇଟାଖଣ୍ଡ ପଡ଼ିଥିବା ଦେଖିବାକୁ ମିଳିଛି। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଆତ୍ମହତ୍ୟା କି ହତ୍ୟା ତାହା ମଧ୍ୟ ସ୍ପଷ୍ଟ କହି ହେଉନାହିଁ।

Share