ଡାକ୍ତରଙ୍କୁ ମାଡ଼ ମାରି ବନ୍ଧା ହେଲେ

କୁଚିଣ୍ଡା,୧୮ା୬(ଡି.ଏନ.ଏ.): କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଜଣେ ଡାକ୍ତର ଓ ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିବା ଅଭିଯୋଗରେ ସ୍ଥାନୀୟ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଅନ୍ୟଜଣେ ଅଭିଯୁକ୍ତ ଫେରାର ଅଛନ୍ତି । ଗିରଫ ଯୁବକଙ୍କ ମଧ୍ୟରୁ କୁଚିଣ୍ଡା ଏନ୍‌ଏସି ୪ ନମ୍ବର ୱାର୍ଡର ଦୁଃଖବନ୍ଧୁ ସୁନାର(୨୪)ଙ୍କୁ ଶନିବାର ଏସ୍‌ଡିଜେଏମ କୋର୍ଟକୁ ଚାଲାଣ କରାଯାଇଛି। ସେହିପରି ୨ ନାବାଳକଙ୍କୁ ପୋଲିସ ଗିରଫ କରି ସମ୍ବଲପୁର ବାଳ ସୁଧାର ଗୃହକୁ ପଠାଇଛି।

ସୂଚନାଯୋଗ୍ୟ, ଶୁକ୍ରବାର ଦୁର୍ଘଟଣାରେ ଆହତ କେତେଜଣ ଯୁବକ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ହେବାକୁ ଆସିଥିଲେ । ସେମାନଙ୍କ ସହ ଆସିଥିବା କୁଚିଣ୍ଡା ୪ ନମ୍ବର ୱାର୍ଡର ଯୁବକମାନେ ଡାକ୍ତରଖାନାରେ କୌଣସି କାରଣକୁ ନେଇ ଗଣ୍ଡଗୋଳ କରି ଡା. ସୁଦୀପ୍ତ ନାଏକ ଓ ସୁରକ୍ଷାକର୍ମୀ ଦୀପକ ସାହୁଙ୍କୁ ମାଡ ମାରିଥିଲେ। ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ଥାନାରେ ଏତଲା ଦେବା ପରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା।

Share