ବାରଙ୍ଗ/ଭୁବନେଶ୍ୱର,୨ା୧୨(ଲିଙ୍ଗରାଜ ରାଉତ/ସୂର୍ଯ୍ୟକାନ୍ତ ବେହେରା): ଜଣେ ବ୍ୟକ୍ତିଙ୍କୁ ମାଡ ମାରିବା ସହ ମାରଣାସ୍ତ୍ରରେ ଗୋଡକୁ କଣା କରି ରକ୍ତାକ୍ତ ପରେ ନଦୀ ପଠାରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ରାଜଧାନୀ ଉପକଣ୍ଠ ନନ୍ଦନକାନନ ଥାନା ଅଧୀନ ଗଣ୍ଡରପୁର ନଦୀପଠାରେ ଏଭଳି ଏକ ଘଟଣା ଘଟିଛି। ଗୁରୁତର ବ୍ୟକ୍ତି ଜଣକ ହେଲେ ବରିମୁଣ୍ଡ ଗ୍ରାମର ସନ୍ତୋଷ କୁମାର ପଣ୍ଡା(୪୮) । ସ୍ଥାନୀୟ ଲୋକଙ୍କ ସହାୟତରେ ତାଙ୍କୁ ଉଦ୍ଧାର କରି କଟକ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା। ତେବେ ସନ୍ତୋଷଙ୍କୁ କି’ଏ ଏବଂ କାହିଁକି ମାରିଲେ ତାହାର କାରଣ ଜଣାପଡି ନ ଥିବା ବେଳେ ଜମିବାଡି କିମ୍ବା ବ୍ୟକ୍ତିଗତ ଆକ୍ରୋଶରୁ କେତେକ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷେ ସନ୍ତୋଷଙ୍କ ଗୋଡରେ ଗଭୀର ଏକ କଣା ହୋଇ କ୍ଷତି ହୋଇଥିବାରୁ ଗୁଳିମାଡ ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହା ଗୁଳି ମାଡ଼ ନୁହେଁ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି। ଶାବଳ କିମ୍ବା କୌଣସି ଏକ ଧାରୁଆ ମୁନିଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ପୋଲିସ ପକ୍ଷରୁ ଅନୁମାନ କରାଯାଉଛି।