ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ ପାରିଆଉଡ଼ା ଗ୍ରାମର ଜଣେ ଯୁବକଙ୍କୁ ସାମନ୍ୟ ବଚସାକୁ ନେଇ ହତ୍ୟା କରାଯାଇଛି। ମୃତକ ହେଲେ ରାଜୀବ ବେହେରା ଓରଫ ଟୁନୁ। ଦୁର୍ବୃତ୍ତମାନେ ତାଙ୍କୁ ଯୋଜନାବଦ୍ଧ ଭାବେ ପିଟି ପିଟି ମାରି ଦେଇଥିବା ମୃତକଙ୍କ ବଡ଼ଭାଇ ସଞ୍ଜୟ କୁମାର ବେହେରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା(ନଂ.୯୨/୨୫) ରୁଜୁକରି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ରାଜୀବ ତାଙ୍କର ଜଣେ ବନ୍ଧୁ ଅରୁଣ କୁମାର ସାହୁଙ୍କ ସହିତ ଶୀର୍ଷାପାଳ ଛକ ନିକଟରେ ଛିଡ଼ା ହୋଇଥିଲେ। ଏହି ସମୟରେ ଜଣେ ଅଜଣା ଯୁବକ ବାଇକ୍ ଯୋଗେ ଆସି ହଳଦୀପାଳ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଠିକଣା ପଚାରିଥିଲେ। ଏନେଇ ରାଜୀବଙ୍କ ସହ ତାଙ୍କର ବଚସା ହୋଇଥିଲା।
ପରେ ଠିକଣା ପଚାରିଥିବା ଯୁବକ ଏବଂ ତାଙ୍କର କେତେଜଣ ସହଯୋଗୀ ସଂଘବଦ୍ଧ ଭାବେ ପେଟ୍ରୋଲ ପମ୍ପ ନିକଟରେ ରାଜୀବଙ୍କୁ ନିସ୍ତୁକ ମାଡ଼ମାରି ଗୁରୁତର କରିଥିଲେ। ହଳଦୀପାଳ ଗ୍ରାମର ଅମ୍ବରିଶ ବେହେରା ରାଜୀବଙ୍କୁ ଉଦ୍ଧାର କରି ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।
ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦାସ୍ଥିତ ପିଆର୍ଏମ୍ ମେଡିକାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକତ୍ସାଧୀନ ଅବସ୍ଥାରେ ୨ ତାରିଖରେ ରାଜୀବଙ୍କ ମୃତ୍ୟୁ ଘଟିଥିଲା। ବେତନଟୀ ଏସ୍ଡିପିଓ ମିନତୀ ବିଶ୍ୱାଳ ସାଇଣ୍ଟିଫିକ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରଉଚରା କରୁଛି।
