କାନ୍ଥ ଭାଙ୍ଗି ବୋହି ନେଲେ

କୁଚିଣ୍ଡା,୬ା୧୦(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା ତୁରେଇ ଗ୍ରାମର ଏକ ତେଜରାତି ଦୋକାନରୁ ଚୋରି ଅଭିଯୋଗରେ ପୋଲିସ ତୁରେଇ ଗୁର୍ଲୁଗୁଡାର ଝୁନୁ ନାଏକଙ୍କୁ ଗିରଫ କରିଛି। ପୋଲିସ ଗୁରୁବାର ତାଙ୍କୁ କୁଚିଣ୍ଡା ଏସ୍‌ଡିଜେଏମ୍‌ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଝୁନୁଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏ ନେଇ ଥାନାରେ ଏକ ମାମଲା (ନଂ.୧୨୧/୨୩) ରୁଜୁ ହୋଇଛି।

ମିଳିଥିବା ସୂଚନା ମୁତାବାକ, ତୁରେଇ ଗ୍ରାମର ସମୀର ପଟେଲ ନିଜ ଘର ସମ୍ମୁଖରେ ଏକ ତେଜରାତି ଦୋକାନ କରିଛନ୍ତି। ସୋମବାର ରାତିରେ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ମଙ୍ଗଳବାର ସକାଳୁ ଦୋକାନ ଘର କାନ୍ଥ ଭାଙ୍ଗି ସାମଗ୍ରୀ ଚୋରି ହୋଇଥିବା ଦେଖି ସେ ଥାନାରେ ଲିଖିତ ରିପୋର୍ଟ କରିଥିଲେ। ପୋଲିସ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତ ଝୁନୁଙ୍କ ଘରେ ପହଞ୍ଚି ପଚରାଉଚୁରା କରିବାରେ ସେ ଚୋରି କରିଥିବା ସ୍ବୀକାର କରିଥିଲେ। ପୋଲିସ ଚୋରି ହୋଇଥିବା ୧ ପେଟି କମଳା ପସନ୍ଦ, ଶୋରିଷ ତେଲ ୧ ପେଟି, ସନ୍ତୁର ସାବୁନ ୧ ପେଟି, ୨୫ ଗୋଟି ଟର୍ଚ୍ଚ ଲାଇଟ, ଆଳୁ ୧ ବସ୍ତା, ୧ ପେଟି ଚକୋଲୋଟ, ୧ ପେଟି ଡାବର ଅଁଳା ତେଲ, ଅମୁଲ ୧ ପେଟି, ଚିନି ୧ ବସ୍ତା, ଜିରା ପାଉଡର ୧ ବସ୍ତା, ଗୋଟି ଜିରା ୧ ବସ୍ତା, ଚିକେନ ମସଲା ୧ ବସ୍ତା ସହ ୩ଟି ସିସିଟିଭି କ୍ୟାମେରା ଉଦ୍ଧାର କରିଛି।

Share